ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଟ୍ରାକ୍ଟର ରାଲି ସମୟରେ ହିଂସାକୁ ନେଇ ଦିଲ୍ଲୀ ପୁଲିସ ଦ୍ବାରା ଅନେକ ଚାଷୀଙ୍କୁ ନୋଟିସ ଦିଆଯାଇଛି। ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସାରେ ଆହତ ହୋଇଥିବା ପୁଲିସ କର୍ମଚାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଭେଟିଛନ୍ତି। ଏଥିସହିତ ଟ୍ରାମା ସେଣ୍ଟରରେ ପହଞ୍ଚି ଅମିତ ଶାହା ଆହତଙ୍କ ଅବସ୍ଥା ପଚାରି ବୁଝିଥିଲେ।
ଦିଲ୍ଲୀ ସିଙ୍ଘୁ ସୀମା ନିକଟରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ବିରୋଧରେ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଠାରେ ଗ୍ରାମବାସୀ ଆନ୍ଦୋଳନ କରୁଥିବା ଚାଷୀଙ୍କ ବିରୋଧରେ ପ୍ରଦର୍ଶନ କରି ଜାତୀୟ ରାଜପଥ ଖାଲି କରିବା ପାଇଁ ଦାବି କରିଛନ୍ତି।
ଗ୍ରାମବାସୀଙ୍କ କହିବାନୁସାରେ, ଲାଲ କିଲ୍ଲାରେ ଜାତୀୟ ପତାକାକୁ ଅପମାନ କରାଯାଇଛି। ଏହି ଘଟଣାକୁ ଆମେ ସହ୍ୟ କରି ପାରିବୁ ନାହିଁ। ଏଯାବତ ଆମେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମର୍ଥନ କରୁଥିଲୁ, କିନ୍ତୁ ଗଣତନ୍ତ୍ର ଦିବସ ଦିନ ଯେଉଁ ଘଟଣା ଘଟିଲା ତାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ତେବେ ଏହି ଚାଷୀ ଆନ୍ଦୋଳନ ବଡ଼ ହିଂସାର ରୂପ ନେବା ପରେ ଚାଷୀ ସଂଗଠନ ମଧ୍ୟରେ ଫାଟ ବଢ଼ୁଛି। ୨ଟି ଚାଷୀ ସଂଗଠନ ଆନ୍ଦୋଳନରୁ ଓହରି ଯାଇଥିବା ବେଳେ ୨୦ରୁ ଅଧିକ ସଂଗଠନ ହିଂସାରେ ସେମାନଙ୍କ ହାତ ନାହିଁ ବୋଲି ବିବୃତି ଜାରି କରିଛନ୍ତି।
କୃଷକ ଆନ୍ଦୋଳନକୁ ବଦନାମ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ଥିଲା ବୋଲି ସେମାନେ କହିଛନ୍ତି। ଦିଲ୍ଲୀ ପୁଲିସ ଯେଉଁ ସର୍ତ୍ତ ଆଧାରରେ ରାଲି ପାଇଁ ଅନୁମତି ଦେଇଥିଲା ତାହାକୁ କେତେକ ଚାଷୀ ନେତା ଓ ସେମାନଙ୍କ ସମର୍ଥକ ଉଲ୍ଲଂଘନ କରିବା ଯୋଗୁଁ ଏଭଳି କାଣ୍ଡ ଘଟିଗଲା ବୋଲି ଆନ୍ଦୋଳନରୁ ଓହରିଥିବା କେତେକ ଚାଷୀ ନେତା କହିଛନ୍ତି।
ଯୋଜନାବଦ୍ଧ ଭାବେ ପୁଲିସ ଉପରେ ଆକ୍ରମଣ ଓ ସରକାରୀ ସମ୍ପତ୍ତି ନଷ୍ଟ କରିବା ପଛରେ ପଂଜାବର କେତେକ ଚରମପନ୍ଥୀ ସଂଗଠନର ହାତ ଥିବାରୁ ଏବେ ଏନ୍ଆଇଏ ତଦନ୍ତ ଆରମ୍ଭ କରିଛି ଏବଂ କେତେକ ଚାଷୀ ନେତାଙ୍କୁ ସମନ କରାଯାଇଛି।