କୃଷକ ଆନ୍ଦୋଳନ ଯୋଗୁଁ ଦିନକୁ କ୍ଷତି ହେଉଛି ୧୫୦ କୋଟି ଟଙ୍କା

ବନ୍ଦ ହେବାରେ ଲାଗିଛି ଅନେକ କାରଖାନା

ସୋନିପତ: ଦିଲ୍ଲୀରେ ଚାଲିଥିବା ପଞ୍ଜାବ ଓ ହରିୟାଣା କୃଷକଙ୍କ ଆନ୍ଦୋଳନ ଆଜି ୬ଷ୍ଠ ଦିନରେ ପହଞ୍ଚିଛି । ଆଉ ଏହି ଆନ୍ଦୋଳନ ଯୋଗୁଁ ଦିଲ୍ଲୀ-ହରିୟାଣା ସୀମାରେ ରାସ୍ତା ବନ୍ଦ ରହିଛି, ଯାହାର ସିଧାସଳଖ ପ୍ରଭାବ କାରଖାନାମାନଙ୍କ ଉପରେ ପଡିଛି। ପରିବହନ ବନ୍ଦ ଯୋଗୁଁ କାରଖାନାରେ ଉତ୍ପାଦନ ଠପ ହୋଇଯାଇଛି, ଯାହାଫଳରେ କର୍ମଚାରୀଙ୍କୁ ଦରମା ଦେବା କମ୍ପାନୀମାନଙ୍କ ପାଖରେ ସମ୍ଭବ ହେଉନାହିଁ | ଏକ ଆକଳନ ଅନୁଯାୟୀ ଉଦ୍ୟୋଗୀମାନେ ଦୈନିକ ପ୍ରାୟ ୧୫୦ କୋଟି ଟଙ୍କା କ୍ଷତି ସହୁଛନ୍ତି |

ହରିୟାଣାର ସୋନିପତରେ ଥିବା ପାଞ୍ଚଟି ଶିଳ୍ପାଞ୍ଚଳର ସାତ ହଜାର କାରଖାନା ମଧ୍ୟରୁ ଅଧିକାଂଶ ବନ୍ଦ ହୋଇଯାଇଛି | ବଡ କଥା ଯେ ଆନ୍ଦୋଳନ ଜାରି ରହିଥିବାରୁ କଞ୍ଚାମାଲ ଆସିପାରୁନାହିଁ | ସେହିପରି ଆନ୍ଦୋଳନ ଯୋଗୁଁ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ନିର୍ଦ୍ଧାରିତ ସ୍ଥାନକୁ ଯାଇପାରୁନାହିଁ | ସୋନିପତ ଶିଳ୍ପାଂଚଳରେ ପ୍ରାୟ ସାତ ହଜାର ଛୋଟ ଓ ବଡ କାରଖାନା ଥିବାବେଳେ ଏଥିରେ ଷ୍ଟିଲ ବାସନ, ପ୍ଲାଷ୍ଟିକ୍ ସାମଗ୍ରୀ, ଖାଦ୍ୟ ସାମଗ୍ରୀ, ରାସାୟନିକ ରଙ୍ଗ, ଜୋତା, ପୋଷାକ, ଅଟୋ ମୋବାଇଲ୍ ପାର୍ଟସ୍, ଔଷଧ ପ୍ରସ୍ତୁତ ହୋଇଥାଏ |

photo-new indian express

ଆଉ କୃଷକମାନେ ଶିଳ୍ପାଞ୍ଚଳ ବାହାରେ ଆନ୍ଦୋଳନ ଜାରି ରଖିଥିବାରୁ ଗୋଟିଏ ବି ଗାଡି ବାହାରକୁ ବାହାରି ପାରିନାହିଁ | ଫଳସ୍ୱରୂପ ପରିବହନ ବନ୍ଦ ହେତୁ ବ୍ୟବସାୟୀମାନେ ଠିକ୍ ସମୟରେ ସାମଗ୍ରୀ ନ ପାଇ ଅର୍ଡର ବାତିଲ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର