ଟିକ୍ରି ସୀମାରେ ଆନ୍ଦୋଳନ ଜାରି; ୨ ଚ‌ାଷୀଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଥିବା ବେଳେ ଜଣେ ଚାଷୀ କଲେ ଆତ୍ମହତ୍ୟ‌ା

ନୂଆଦିଲ୍ଲୀ: ଗଡୁଛି ତାରିଖ, ବଢୁଛି ଦିନ, ଅସହ୍ୟ ହେଲାଣି ଚାଷୀ ଜୀବନ । ୨ ମାସରୁ ଅଧିକ ହେବ ଦିଲ୍ଲୀ ସୀମାରେ ଚାଲିଛି କୃଷକଙ୍କ ଆନ୍ଦୋଳନ । ଆନ୍ଦୋଳନ ଉପରେ ରୋକ୍ ଲଗାଇବାକୁ ନା ସରକାର ପ୍ରସ୍ତୁତ ନା ନିଜ ଜିଦ୍ ରୁ ଉହୁରିବାକୁ କୃଷକ ପ୍ରସ୍ତୁତ । ଏହାରି ମଧ୍ୟରେ ଚାଲିଥିବା ଆନ୍ଦୋଳନରେ ଅନେକ ଚାଷୀଙ୍କର ମୃତ୍ୟୁ ହୋଇସାରିଥିବା ବେଳେ କିଛି ଚାଷୀ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳିଛି ।

ଗତକାଲି ରାତିରେ ଟିକ୍ରି ସୀମାରେ ଜଣେ ଚାଷୀ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । କୃଷକ ଜଣଙ୍କ ସେକ୍ଟର-୯ ବାଇପାସ ପାର୍କରେ ଥିବା ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଚାଷୀଙ୍କ ନିକଟରୁ ଏକ ଆତ୍ମହତ୍ୟା ନୋଟ୍ ମିଳିଛି । ଏହି ନୋଟରେ ଲେଖାଯାଇଛି କି ‘ସରକାର କେବଳ ତାରିଖ ପରେ ତାରିଖ ଗଡାଇ ଚାଲିଛନ୍ତି । ଏହି କଳା କାନୁନ୍ କେବେ ପ୍ରତ୍ୟାହାର ହେବ ତା’ର କିଛି ସୂଚନା ନାହିଁ, କଳା କାନୁନ ବାତିଲ ନହେବା ପର୍ଯ୍ୟନ୍ତ ମୁଁ ଏଠାରୁ ଯିବି ନାହିଁ ’ । ସେହିଭଳି ଭାବେ ଟିକ୍ରି ସୀମାରେ ଆଉ ୨ ଜଣ ଚାଷୀଙ୍କର ମୃତ୍ୟୁ ହୋଇଛି । ଜଣେ କୃଷକ ପଞ୍ଜାବର ସାଙ୍ଗରୁର ହୋଇଥିବା ବେଳେ ଅନ୍ୟ ଜଣେ ମୋଗା ଜିଲ୍ଲାର ବୋଲି ଜଣାପଡିଛି । ହେଲେ ସେମାନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ପ୍ରାଥମିକ ତଦନ୍ତରୁ ସେମାନଙ୍କର ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଛି ବୋଲି ପୁଲିସ୍‌ ଅନୁମାନ କରିଛି ।

ସମ୍ବନ୍ଧିତ ଖବର