ନୂଆଦିଲ୍ଲୀ : କୃଷି ଆଇନକୁ ବିରୋଧ କରି ଦୀର୍ଘ ୧୫ ମାସ ଧରି ଆନ୍ଦୋଳନରେ ବସିଥିବା କୃଷକମାନଙ୍କ ଦାବିକୁ ସରକାର ଗ୍ରହଣ କରିଛନ୍ତି। କୃଷକଙ୍କ ପ୍ରମୁଖ ଦାବିଗୁଡ଼ିକୁ ସରକାର ଗ୍ରହଣ କରିବା ସହ ଏସ୍‌କେଏମ୍‌ (ସଂଯୁକ୍ତ କିଷାନ ମୋର୍ଚ୍ଚା)କୁ ଏନେଇ ଏକ ସଂଶୋଧିତ ପ୍ରସ୍ତାବ ଦେଇଛନ୍ତି। ଏସ୍‌କେଏମ୍‌ ଆଜି ଅପରାହ୍ନରେ ସିଂଘୁ ସୀମାରେ ଏକ ବୈଠକ କରିବ।

Advertisment

ଏହି ବୈଠକରେ ଆନ୍ଦୋଳନ ବନ୍ଦ କରିବା ସଂକ୍ରାନ୍ତରେ ବିଧିବଦ୍ଧ ଭାବେ ଘୋଷଣା ହୋଇପାରେ। ଚାଷୀ ନେତା ଏବଂ ଏସ୍‌କେଏମ୍‌ କୋର୍‌ କମିଟି ସଦସ୍ୟ ଗୁରନାମ ସିଂହ ଚଡ଼ୁନୀ କହିଛନ୍ତି, ଆମ ଦାବି ନେଇ ଆମେ ସରକାରଙ୍କ ସହ ଏକ ଚୁକ୍ତିରେ ପହଞ୍ଚିଛୁ। ଆଜି ଆମେ ଏକ ବୈଠକ କରିଛୁ। ସରକାରଙ୍କ ସଂଶୋଧିତ ପ୍ରସ୍ତାବରେ ଆମେ ସହମତି ପ୍ରକାଶ କରିଛୁ। ତେବେ ସରକାର ବିଧିବଦ୍ଧ ଭାବେ ଏନେଇ ଆମକୁ ଏକ ସହମତିପତ୍ର ପ୍ରଦାନ କରନ୍ତୁ ବୋଲି ଏସ୍‌କେଏମ୍‌ କହିଛି।

ଆଜି ଅପରାହ୍ନ ୧୨ଟାରେ ହେବାକୁ ଥିବା ବୈଠକରେ ଆନ୍ଦୋଳନ ବନ୍ଦ ସଂକ୍ରାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଏସକେଏମ୍‌ ଏକ ବିବୃତି ଜାରି କରି କହିଛି। ସରକାର କୃଷକଙ୍କ ସମସ୍ତ ଦାବି ନେଇ ରାଜି ହୋଇଛନ୍ତି। କୃଷକଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ସହ ଏମ୍‌ଏସପି ସଂକ୍ରାନ୍ତରେ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି।