କୃଷକ ଆନ୍ଦୋଳନରେ ବିରୋଧୀ ବର୍ଷିଲେ

ନୂଆଦିଲ୍ଲୀ: ଦେଶରେ କୃଷି ଓ କୃଷକମାନଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ତେଣୁ ସେମାନଙ୍କ ଦାବି ପୂରଣ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ବହୁସଂଖ୍ୟାରେ କୃଷକ ଦିଲ୍ଲୀରେ ଦୁଇ ଦିନିଆ ଆନ୍ଦୋଳନ କରିଛନ୍ତି। ପ୍ରଥମ ଦିନ ବିଭିନ୍ନ ଭାଗରୁ ଆସିଥିବା କୃଷକମାନେ ରାମଲୀଳା ମଇଦାନରେ ପହଂଚିବା ପରେ ଆଜି ସେଠାରୁ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଅଭି‌ମୁଖେ ଯାତ୍ରା କରିଥିଲେ। ତେବେ ପୁଲିସ ସେମାନଙ୍କୁ ସଂସଦ ମାର୍ଗ ଥାନା ନିକଟରେ ଅଟକାଇଥିଲା। ସେଠାରେ କୃଷକମାନେ ଏକତ୍ରିତ ହୋଇ ସଭା କରିଥିଲେ। ବିରୋଧୀ ଦଳ ଗୁଡ଼ିକର ବହୁ ତୁଙ୍ଗ ନେତା କୃଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଏଥିରେ ଯୋଗଦେଇ କୃଷକମାନଙ୍କୁ ଆଜି ଉଦବୋଧନ ଦେବା ସହିତ ମୋଦୀ ସରକାରଙ୍କ ଉପରେ ବର୍ଷିଥିଲେ। ଆଜିର ସମାବେଶରେ ପ୍ରାୟ ୩୫ ହଜାର କୃଷକ ଯୋଗଦେଇଥିବା କୁହାଯାଉଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଉଦବୋଧନ ଦେଇ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ୧୫ ଜଣ ଧନୀ ବନ୍ଧୁଙ୍କୁ ଋଣ ଛାଡ଼ କରୁଥିବାବେଳେ ଦେଶର କୋଟି କୋଟି କୃଷକଙ୍କ ଋଣକୁ ମଧ୍ୟ ଛଡ଼ କରିବାକୁ ହେବ। ତାଙ୍କ ଦଳ କୃଷକଙ୍କ ସହିତ ରହିଛି। ତେଣୁ ସେମାନଙ୍କୁ ଭୟ କରିବାର ନାହିଁ ବୋଲି ରାହୁଲ କହିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଯୋଗଦେଇ ମୋଦୀ ସରକାରଙ୍କ ଉପରେ ଭୀଷଣ ବର୍ଷିଥିଲେ। କୃଷକମାନଙ୍କ ସମସ୍ୟା ସମାଧାନ ନହେଲେ ୨୦୧୯ ଲୋକସଭା ନିର୍ବାଚନରେ ସେମାନେ ବିପର୍ଯ୍ୟୟ ଘଟାଇବେ ବୋଲି କେଜରିୱାଲ କହିଥିଲେ। ସେହିଭଳି ସିପିଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଯୋଗଦେଇ ଦେଶର କୃଷକମାନଙ୍କ ସ୍ଥିତି ଉପରେ ଅବତାରଣା କରିଥିଲେ। ଉପା ସରକାରଙ୍କ ଅମଳ ତୁଳନାରେ ଏନଡିଏ ସରକାରଙ୍କ ଅମଳରେ କୃଷି ଓ କୃଷକଙ୍କର ‌କିଭଳି ଅବନତି ହୋଇଛି ତାହାର ତଥ୍ୟ ରଖିଥିଲେ। ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆରଏସଏସ ‌ନିକଟରେ ଗୋଟିଏ ଅସ୍ତ୍ର ଅଛି ତାହା ହେଲା ରାମ ମନ୍ଦିର। ଏମାନଙ୍କ ବ୍ୟତୀତ ଆଜି ଏହି ସମାବେଶରେ ନ୍ୟାସନାଲ କନଫେରେନ୍ସର ଫାରୁକ ଅବଦୁଲ୍ଲା, ଏନସିପିର ଶରଦ ପାୱାର ପ୍ରମୁଖ ଯୋଗଦେଇ ଭାଷଣ ଦେଇଥିଲେ। ଆଜିର ଆନ୍ଦୋଳନରେ କୃଷକମାନେ ବିଭିନ୍ନ ସ୍ଳୋଗାନ ଦେଇଥିଲେ। ସେମାନେ କହିଥିଲେ, ଆମେ ଜମି ଦରକାର କରୁଛୁ, ବୁଲେଟ ଟ୍ରେନ ନୁହେଁ। ଆମେ ଅଯୋଧ୍ୟା ଚାହୁନାହୁ, ଋଣ ଛାଡ଼ ଚାହୁଛୁ। ଏହି ସମାବେଶକୁ ୨୧ଟି ଦଳ ସମର୍ଥନ କରିଛନ୍ତି। କୃଷକମାନେ ଋଣ ଛାଡ଼ ସମେତ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, କୃଷି ସମସ୍ୟା ଉପରେ ସଂସଦର ସ୍ବତନ୍ତ୍ର ଅଧିବେଶନ କରାଇବା ସହିତ ସ୍ବାମୀନାଥନ କମିସନ ରିପୋର୍ଟ କାର୍ଯ୍ୟକାରୀ କରିବା ଏବଂ ପେନସନ ପ୍ରଦାନ ଆଦି ଦାବି ପୂରଣ କରିଆସୁଛନ୍ତି। ସର୍ବ ଭାରତୀୟ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ଦିଲ୍ଲୀରେ ଏହା କୃଷକମାନଙ୍କର ଏକ ବଡ଼ ସମାବେଶ ବୋଲି ଦାବି କରାଯାଇଛି।

ସମ୍ବନ୍ଧିତ ଖବର