କୃଷକ ଆନ୍ଦୋଳନ ସମାପ୍ତି ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚାର ଘୋଷଣା, ୧୧ ତାରିଖରୁ ଘରକୁ ଫେରିବେ ଚାଷୀ

ନୂଆଦିଲ୍ଲୀ: ଦୀର୍ଘ ୧ ବର୍ଷରୁ ଅଧିକ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ଆନ୍ଦୋଳନ ଶେଷ ହୋଇଛି । ଆଜି ୪୦ କୃଷକ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଆନ୍ଦୋଳନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । ଏହାସହ ୧୧ ତାରିଖରୁ କୃଷକମାନଙ୍କୁ ସେମାନଙ୍କ ଘରକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଦୋଳନ ବନ୍ଦ ପରେ ୧୫ ତାରିଖରେ କୃଷକନେତାମାନେ ପଞ୍ଜାବର ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରରେ ଦର୍ଶନ କରିବେ ବୋଲି କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ଟି ଆଇନକୁ ପ୍ରତ୍ୟାହାର, ଉତ୍ପାଦିତ ଖାଦ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ ପରିସରକୁ ଆଣିବା ଭଳି ଦାବି ନେଇ କୃଷକମାନେ ଆନ୍ଦୋଳନ ଜାରି ରଖିଥିଲେ । ଏହାରି ଭିତରେ ଗୋଟିଏ ବର୍ଷ ବିତିଯାଇଛି । କେନ୍ଦ୍ର ସରକାର ପାରିତ କରିଥିବା ୩ଟି କୃଷି ଆଇନକୁ ପ୍ରଧାନମନ୍ତ୍ରୀ ପ୍ରତ୍ୟାହାର କରିଛନ୍ତି । ଏହାସହ ଅନ୍ୟ ଦାବିଗୁଡିକ ଖୁବଶୀଘ୍ର ପୂରଣ କରାଯିବା ନେଇ କେନ୍ଦ୍ର ସରକାର କୃଷକମାନଙ୍କୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆଜି ଆନ୍ଦୋଳନ ପ୍ରତ୍ୟାହାର ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ଘୋଷଣା କରିଛି ।

indiatoday

ଅନ୍ୟପଟେ ଆଜି ଏନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ କୃଷକନେତାମାନେ ଆନ୍ଦୋଳନ ପ୍ରତ୍ୟାହାର ନେଇ ଘୋଷଣା କରିବା ସହ ଏମଏସପିକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା କମିଟିରେ କିଷାନ ମୋର୍ଚ୍ଚାର ପ୍ରତିନିଧି ରହିବା ଉପରେ ସହମତି ପ୍ରକାଶ କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଅନ୍ୟପଟେ ବିଜୁଳି ବିଲ ଓ ଯୋଗାଣ ନେଇ କୃଷକମାନଙ୍କ ଥିବା ଦାବି ଉପରେ ସରକାର ସହମତି ପ୍ରକାଶ କରିଥିବା ସହ ଏନେଇ ସରକାର ପ୍ରଥମେ କିଷାନ ମୋର୍ଚ୍ଚାର ପ୍ରତିନିଧି ମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କିଷାନ ମୋର୍ଚ୍ଚା ନେତା କହିଛନ୍ତି ।

ସମ୍ବନ୍ଧିତ ଖବର