ଲଖିମ୍‌ପୁର (ଉତ୍ତରପ୍ରଦେଶ): ଗତକାଲି କେନ୍ଦ୍ର ସରକାରଙ୍କର ନୂତନ କୃଷିନୀତିକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଗାଡ଼ି ଚଢ଼ାଇଦେବା ଫଳରେ ଘଟଣାସ୍ଥଳରେ ୪ଜଣ କୃଷକଙ୍କର ମୃତ୍ୟୁ ଘଟିଥିଲା। ଏହା ସହ ଏକାଧିକ କୃଷକ ଆହତ ହୋଇଥିଲେ। ଏହି ଘଟଣାକୁ କେନ୍ଦ୍ରକରି ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇବା ସହ ମୃତଦେହ ଧରି ଧାରଣାରେ ବସିଥିଲେ ଚାଷୀ। ହେଲେ ଏବେ ସରକାର କ୍ଷତିପୂରଣ ଦେବା ନେଇ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଆ‌ନ୍ଦୋଳନ ବନ୍ଦ କରିଥିବା ଜଣାପଡ଼ିଛି।

Advertisment

ସୂଚନା ମୁତାବକ, ଆଜି ପୁଲିସ ସହିତ ଏକ ବୈଠକ ପରେ କୃଷକମାନେ ଆନ୍ଦୋଳନ ବନ୍ଦ କରିଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ ୪୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସରକାର ପ୍ରତିଶ୍ରୁତି ଦେଇଥିବା ବେଳେ ଆହତମାନଙ୍କୁ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ଗାଡ଼ି ଚଢ଼ାଥିବା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି। ମୃତକଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଆଧାରରେ ମାମଲାର ତଦନ୍ତ କରାଯିବ ବୋଲି ପୁଲିସ ଚାଷୀଙ୍କୁ ଆଶ୍ୱାସନା ଦେଇଛି।

publive-image Image Courtesy of Zee News

ଅନ୍ୟପକ୍ଷରେ ଗତକାଲିର ହିଂସାକାଣ୍ଡ ସମୟରେ ଘଟଣାସ୍ଥଳରେ ତାଙ୍କ ପୁଅ ଉପସ୍ଥିତ ଥିବା କଥାକୁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଅସ୍ୱୀକାର କରିଛନ୍ତି। ସେ ଏହାର ଭିଡିଓ ପ୍ରମାଣ ଦେଇପାରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଘଟଣା ଘଟିବା ସମୟରେ ମୋ ପୁଅ ଉପ-ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆୟୋଜିତ ‌ହୋଇଥିବା ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ମୁଁ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ଥିଲି।