ନୂଆଦିଲ୍ଲୀ: ବୁଧବାର ସକାଳେ ହଜାର ହଜାର ଚାଷୀ ୧୦ ଦିନ ବ୍ୟାପୀ ଚଳାଇଥିବା ‘କିଷାନ୍ କ୍ରାନ୍ତି ପଦଯାତ୍ରା’ ପ୍ରତ୍ୟାହାର କରି ନେଇଛନ୍ତି। ମଧ୍ୟ ରାତ୍ରୀ ପରେ ଦିଲ୍ଲୀ ପୁଲିସ ବେରିକେଡ୍ ହଟାଇ ‘କିଷାନ୍ କ୍ରାନ୍ତି ପଦଯାତ୍ରା’ ସମୟରେ ଅଟକା ଯାଇଥିବା ଚାଷୀଙ୍କୁ ଦିଲ୍ଲୀ ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦେଇଥିଲା ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ରାତି ପ୍ରାୟ ୨ଟା ବେଳେ ଟ୍ରାକ୍ଟର୍ ଏବଂ ଟ୍ରଲି ଚଢ଼ି ପ୍ରାୟ ୪୦୦ ଚାଷୀ ଜାତୀୟ ରାଜଧାନୀ ଭିତରକୁ ପ୍ରବେଶ କରି ବିପୁଳ ପୁଲିସ ମୁତୟନ କରାଯାଇଥିବା କିଷାନ୍ ଘାଟ୍ ଆଡ଼କୁ ଅଗ୍ରସର ହୋଇଥିଲେ।
ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ବୁଝାମଣା ହେବା ପରେ ଚାଷୀମାନଙ୍କୁ ମଧ୍ୟ ରାତ୍ରୀ ପରେ ଦିଲ୍ଲୀ ମଧ୍ୟକୁ ପ୍ରବେଶ ଅନୁମତି ମିଳିଥିଲା। କେନ୍ଦ୍ର ସରକାର ସର୍ତ୍ତ ରଖିଥିଲେ ଯେ ସେମାନେ କିଷାନ୍ ଘାଟ୍ରେ ପହଞ୍ଚି ତୁରନ୍ତ ସେଠାରୁ ଚାଲିଯିବେ, ରହିବେ ନାହିଁ।
ଭାରତୀୟ କିଷାନ୍ ୟୁନିୟନ୍ର ମୁଖ୍ୟ ନରେଶ ଟିକାୟତ କହିଛନ୍ତି ଏହା ‘କୃଷକମାନଙ୍କର ବିଜୟ’ ଏବଂ ଭାରତୀୟ ଜନତା ପାର୍ଟି ସରକାର ନିଜ ଉଦ୍ଦେଶ୍ୟରେ ବିଫଳ ହୋଇଛି।
ଚାଷୀମାନେ କହୁଛନ୍ତି କି, କେନ୍ଦ୍ର ସରକାର ସେମାନଙ୍କର ଅଧିକାଂଶ ଦାବି ମାନି ନେଇଥିବାରୁ ସେମାନେ ବୁଝାମଣା କରିଛନ୍ତି। ସେମାନଙ୍କର ମୁଖ୍ୟ ଦାବି ଶସ୍ୟର ମୂଲ୍ୟ ବୃଦ୍ଧିକୁ ସରକାର ଗ୍ରହଣ କରିଛନ୍ତି। ଏ ସଂକ୍ରାନ୍ତରେ ଆସନ୍ତା ୬ ଦିନ ମଧ୍ୟରେ ସରକାର ବିଧିବଦ୍ଧ ଭାବେ ଘୋଷଣା କରିବେ।