ନୂଆଦିଲ୍ଲୀ: ପ୍ରାୟ ୨୦୦ କୃଷକ ସଂଗଠନ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ନିଶ୍ଚିତ କରୁଥିବା ଆଇନ ଲାଗୁ କରାଯିବା ଓ ଅନ୍ୟ ଦାବି ନେଇ କେନ୍ଦ୍ର ସରକାର ବିରୋଧରେ ରଣହୁଙ୍କାର ଦେଇଛନ୍ତି। ଫେବୃଆରି ୧୩, ୨୦୨୪ରେ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ଘୋଷଣା ହୋଇଥିବାରୁ ଏହାର ମୁକାବିଲା ପାଇଁ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି। ଚାଷୀ ବିକ୍ଷୋଭକୁ ଦୃଷ୍ଟିରେ ରଖି ଦିଲ୍ଲୀ-ୟୁପି ସୀମା ଏବଂ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଏହା ସହିତ ପଂଜାବ-ହରିୟାଣା ସୀମା ସିଲ୍ କରାଯାଇଛି । ଦିଲ୍ଲୀ ପୋଲିସ ମଧ୍ୟ ଆଇନ ଶୃଙ୍ଖଳା ଉଲ୍ଲଂଘନକୁ ରୋକିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛି ଏବଂ ଫୋର୍ସ ମୁତୟନ କରି ସୀମାକୁ ସୁଦୃଢ଼ କରିବା ବ୍ୟବସ୍ଥା କରିଛି । ‘ଦିଲ୍ଲୀ ଚଲୋ’ ପଦଯାତ୍ରାରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଅନ୍ୟାନ୍ୟ ରାଜ୍ୟରୁ ହଜାର ହଜାର ଚାଷୀ ସାମିଲ ହେବେବୋଲି ବୋଲି ଆଶା କରାଯାଉଛି । ପ୍ରାୟ ୨୦ ହଜାର କୃଷକ ୨,୦୦୦ରୁ ୨,୫୦୦ ଟ୍ରାକ୍ଟରରେ ଦିଲ୍ଲୀରେ ପହଞ୍ଚିପାରନ୍ତି ବୋଲି ରିପୋର୍ଟରୁ ଜଣାପଡିଛି ।
ଚାଷୀଙ୍କ ପ୍ରମୁଖ ଦାବି
ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ପାଇଁ ଆଇନଗତ ଗ୍ୟାରେଣ୍ଟି
ସ୍ବାମୀନାଥନ କମିସନଙ୍କ ସୁପାରିସ କାର୍ଯ୍ୟକାରୀ କରିବା
କୃଷକ ଓ କୃଷି ଶ୍ରମିକଙ୍କୁ ପେନସନ, କୃଷି ଋଣ ଛାଡ଼
ଚାଷୀଙ୍କ ବିରୋଧରେ ପୁଲିସ ମାମଲା ପ୍ରତ୍ୟାହାର ଏବଂ ନିର୍ଦ୍ଦିଷ୍ଟ ଘଟଣାର ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ
ଧାନ, ଗହମ ଏବଂ ଆଖୁ ବ୍ୟତୀତ ଅନ୍ୟ ଫସଲ ପାଇଁ ଚାଷୀମାନେ ସମ୍ମୁଖୀନ ହେଉଥିବା ଉତ୍ପାଦନ ବିପଦକୁ ହ୍ରାସ କରିବା
ଯଦି କୃଷକମାନେ କୌଣସି ଉପାୟରେ ହରିୟାଣା ଏବଂ ପଞ୍ଜାବ ଅତିକ୍ରମ କରି ଦିଲ୍ଲୀ ସୀମା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି, ତେବେ କ୍ରେନ୍ ଏବଂ କଣ୍ଟେନର ଦ୍ୱାରା ସୀମାକୁ ସିଲ୍ କରାଯିବାକୁ ମଧ୍ୟ ବ୍ୟବସ୍ଥା ହୋଇଛି। ହରିୟାଣା ପୁଲିସ ମଧ୍ୟ ଏହି ସମୟ ମଧ୍ୟରେ ପଞ୍ଜାବ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି ଏବଂ ଟ୍ରାଫିକ୍ ସ୍ଥିତି ବିଷୟରେ ଅପଡେଟ୍ ପାଇଁ ନାଗରିକମାନେ ପୁଲିସ ସୂଚନା ଉପରେ ନଜର ରଖିବାକୁ କହିଛି। ଏହାବ୍ୟତୀତ ହରିୟାଣାରୁ ପଞ୍ଜାବ ପର୍ଯ୍ୟନ୍ତ ସମସ୍ତ ମୁଖ୍ୟ ରାସ୍ତାରେ ସମ୍ଭାବ୍ୟ ଟ୍ରାଫିକ୍ ବାଧାପ୍ରାପ୍ତ ହେବା ନେଇ ପୁଲିସ ସତର୍କ କରାଇଦେଇଛି। ପୁଲିସର ଏଭଳି ପଦକ୍ଷେପକୁ ଚାଷୀ ନେତାମାନେ ଦୃଢ଼ ବିରୋଧ କରିଛନ୍ତି। କୃଷକ ନେତା ଜଗଜିତ୍ ସିଂହ ଦଲେୱାଲ ଏକ ବିବୃତି ଜାରି କରି କହିଛନ୍ତି ଯେ ଗୋଟିଏ ପଟେ ସରକାର ଆଲୋଚନା ପାଇଁ ନିମନ୍ତ୍ରଣ ଦେଉଥିବା ବେଳେ ଅନ୍ୟପଟେ ହରିୟାଣାରେ ଆମକୁ ଭୟଭୀତ କରିବାକୁ ଚେଷ୍ଟା କରାଯାଉଛି। ସୀମା ସିଲ୍ କରାଯିବା ସହ ୧୪୪ ଧାରା ଜାରି କରାଯାଇଛି ଏବଂ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ସରକାରଙ୍କ ପାଖରେ ଏକ ଆନ୍ଦୋଳନ ରୋକିବା ପାଇଁ ଏଭଳି ପଦକ୍ଷେପ ନେବା ଅଧିକାର ରହିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।