ନୂଆଦିଲ୍ଲୀ: ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ପ୍ରଦେଶର ଚୌରିଚୌରା ଘଟଣାର ଶତବାର୍ଷିକୀ କାର୍ଯ୍ୟକ୍ରମ ଉଦ୍‌ଘାଟନ କରି କହିଛନ୍ତି ଯେ, ଇତିହାସର ଏହି ଘଟଣା ଆଜିର ପରିପ୍ରେକ୍ଷୀରେ ମଧ୍ୟ ସ୍ମରଣୀୟ।

Advertisment

ପ୍ରଧାନମନ୍ତ୍ରୀ କହିଲେ, କୃଷକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ। ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ଘଟିଥିବା ଚୌରିଚୌରା ଘଟଣାରେ ମଧ୍ୟ ସେମାନେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।

ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଏହି କାର୍ଯ୍ୟକ୍ରମ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଚୌରିଚୌରା ସହିଦମାନଙ୍କ ସମ୍ବନ୍ଧରେ ଯେତେ ପରିମାଣରେ ଆଲୋଚନା ହେବା କଥା, ତାହା ହୋଇ ନ ଥିବା ଦୁଃଖର ବିଷୟ। ସେମାନଙ୍କୁ ଇତିହାସ ପୃଷ୍ଠାରେ ଗୁରୁତ୍ୱ ଦିଆଯାଇ ନ ଥିଲେ ମଧ୍ୟ ଦେଶ ମୃତ୍ତିକାରେ ମିଶିଥିବା ସେମାନଙ୍କ ରକ୍ତ ଆମକୁ ପ୍ରେରଣା ଦେଇଚାଲିଛି।

publive-image Image Courtesy of Mint Lounge

ଚୌରିଚୌରା ଘଟଣା କେବଳ ଥାନାପୋଡ଼ି ସୀମିତ ନୁହେଁ। ଏହି ଘଟଣାର ବାର୍ତ୍ତା ଥିଲା ଅନେକ ବଡ଼। କେତେକ କାରଣରୁ ଏହାକୁ ସାମାନ୍ୟ ଘଟଣା ବୋଲି ବିବେଚନା କରାଯାଇଥିଲା। ତାତ୍ତ୍ୱିକ ଦୃଷ୍ଟିରେ ଦେଖିଲେ କେବଳ ଥାନାରେ ନୁହେଁ, ଜନତାଙ୍କ ହୃଦୟରେ ନିଆଁ ଲାଗିଥିଲା।

ଦିଲ୍ଲୀ ସୀମାନ୍ତରେ ଚାଲିଥିବା କୃଷକମାନଙ୍କ ପ୍ରତିବାଦ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଦେଶର ପ୍ରଗତିରେ କୃଷକମାନଙ୍କର ଅବଦାନ ରହିଛି। ଚୌରିଚୌରା ସଂଗ୍ରାମରେ ମଧ୍ୟ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଗତ ଛଅ ବର୍ଷ ହେବ କୃଷକମାନଙ୍କୁ ଆତ୍ମନିର୍ଭର କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ତାହା ଫଳରେ ମହାମାରୀ ସମୟରେ ମଧ୍ୟ କୃଷି କ୍ଷେତ୍ରରେ ଅଭିବୃଦ୍ଧି ଘଟିଛି।

ସ୍ମରଣଯୋଗ୍ୟ, ୧୯୨୨ ମସିହାରେ ଉତ୍ତର ପ୍ରଦେଶରେ ଦଳେ ପ୍ରତିବାଦକାରୀ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପୁଲିସ ଗୁଳି ଚଳାଇଥିଲା। ତେଣୁ, ଦଳେ ଉତ୍ତ୍ୟକ୍ତ ଜନତା ଚୌରିଚୌରା ଥାନାରେ ନିଆଁ ଲଗାଇ ଦେବାରୁ ୨୩ଜଣ ପୁଲିସ ଓ ସେଠାରେ ଉପସ୍ଥିତ ଅନ୍ୟ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା।