ଆଲୋଚନା ପୁଣି ବିଫଳ : ଚାଷୀ, ସରକାର ଜିଦ୍‌ରେ ଅଟଳ

ନୂଆଦିଲ୍ଲୀ : ନୂଆ ତିନିଟି ଯାକ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଥିବା ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟ ଆଲୋଚନା ଆଜି ପୁଣି ବିଫଳ ହୋଇଛି। ପରବର୍ତ୍ତୀ ଆଲୋଚନା ଜାନୁଆରି ୮ ତାରିଖ ଶୁକ୍ରବାର ଦିନ ହେବାକୁ ସ୍ଥିର ହୋଇଛି। ଗୋଟିଏ ପଟେ ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ଚାଷୀ ସଂଗଠନ ନିଜ ଜିଦ୍‌ରେ ଅଟଳ ଥିବାବେଳେ ଅନ୍ୟପଟେ ସରକାର ଆଇନ ପ୍ରତ୍ୟାହାର କରିବାକୁ ମନା କରିଦେଇଛନ୍ତି। ଉଭୟ ପକ୍ଷ୍ୟ ନିଜ ନିଜ ଜିଦରେ ଅଟଳ ରହିବାରୁ ଆଲୋଚନା ସଫଳ ହୋଇ ପାରିନାହିଁ। କୃଷି ଆଇନ ପ୍ରତ୍ୟାହାର ଚାଷୀ ଆନ୍ଦୋଳନର ଏକମାତ୍ର ଲକ୍ଷ୍ୟ ଏବଂ ଏ ନେଇ ସରକାରଙ୍କ କୌଣସି ବିକଳ୍ପ ପ୍ରସ୍ତାବକୁ ଗ୍ରହଣ କରାଯିବ ନାହିଁ ବୋଲି ଆଲୋଚନାରେ ଭାଗ ନେଇଥିବା ଚାଷୀ ସଂଗଠନ ‘ଭାରତୀୟ କିଷାନ୍‌ ସଂଘ’ର ନେତା ରାକେଶ ଟିକାଏତ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସରକାର ଆଶା ପ୍ରକାଶ କରିଛନ୍ତି ଯେ ପରବର୍ତୀ ପର୍ଯ୍ୟାୟ ଆଲୋଚନା ସଫଳ ହେବ।

ଆଜି ବିଜ୍ଞାନ ଭବନ ପରିସରରେ ଆୟୋଜିତ ସପ୍ତମ ପର୍ଯ୍ୟାୟ ଆଲୋଚନାରେ ୪୦ ଚାଷୀ ସଂଗଠନର ପ୍ରତିନିଧିଙ୍କ ସମେତ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ, ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ସୋମ୍‌ ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ। ଚାଷୀ ନେତାମାନେ ଆରମ୍ଭରୁ ନିଜ ଜିଦରେ ଅଟଳ ରହିବାରୁ ବୈଠକ ଏକ ଘଣ୍ଟା‌ରେ ଶେଷ ହୋଇଯାଇଥିଲା। ଦୁଇ ଘଣ୍ଟା ପରେ ପୁଣି ଆଲୋଚନା ଆରମ୍ଭ ହୋଇଥିଲା। ଚାଷୀମାନେ ପୁଣି ନିଜ ର ଦାବି (ତିନିଟି ଯାକ କୃଷି ଆଇନ ପ୍ରତ୍ୟାହାର ଏବଂ ଏମଏସପି ପାଇଁ ଆଇନଗତ ଗ୍ୟା‌ରେଣ୍ଟି) ଦୋହରାଇଥିଲେ। କିନ୍ତୁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନୂଆ ଆଇନର ପ୍ରତିଟି ବିନ୍ଦୁ ଉପରେ ଆଲୋଚନା କରାଯାଉ। କିନ୍ତୁ ଚାଷୀ କିଛି ଶୁଣିନଥିଲେ। ଫଳରେ ଆଜିର ଆଲୋଚନାରୁ କୌଣସି ସୁଫଳ ମିଳିପାରିନାହିଁ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି। ଆଲୋଚନାରୁ ସୁଫଳ ମିଳିବାକୁ ହେଲେ ଉଭୟ ପକ୍ଷରୁ ଉଦ୍ୟମ ହେବା ଆବଶ୍ୟକ। କୃଷି ଆଇନ ଚାଷୀଙ୍କ ପାଇଁ ହିତକର ବୋଲି ପୁଣି ଦୋହରାଇଛନ୍ତି କେନ୍ଦ୍ର ମନ୍ତ୍ରୀ। ତେବେ ୮ ତାରିଖ ଶୁକ୍ରବାର ହେବାକୁ ଥିବା ପରବର୍ତ୍ତୀ ଆଲୋଚନା ଫଳପ୍ରଦ ହେବ ବୋଲି ତୋମାର୍‌ ଆଶା ପ୍ରକାଶ କରିଛନ୍ତି।

ସେହିଭଳି କୃଷି ଆଇନ ପ୍ରତ୍ୟାହାର ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା କରିବାକୁ ଚାଷୀମାନେ ଚାହାନ୍ତି ନାହିଁ ବୋଲି ଅଖିଳ ଭାରତ କିଷାନ ସଭାର ସାଧା‌ରଣ ସମ୍ପାଦକ ହାନ୍ନନ ମୋଲ୍ଲା ସ୍ପଷ୍ଟ କରିଦେଇଛନ୍ତି। କୃଷି ଆଇନ ସମ୍ପର୍କରେ ସରକାର ଚାଷୀଙ୍କୁ ଭୁଲାଇବାକୁ ଚେଷ୍ଟା କରୁଛନ୍ତି ଏବଂ କୃଷି ଆଇନ ଚାଷୀଙ୍କ ପାଇଁ ହିତକର ବୋଲି ସରକାର ବାରମ୍ବାର କହି ଆସୁଛନ୍ତି। ସରକାରଙ୍କ ଏଭଳି ମନଭୁଲା କଥା ଶୁଣିବାର ନାହିଁ ବୋଲି କିଷାନ୍‌ ମଜ୍‌ଦୁର ସଂଘର୍ଷ ସମିତି ନେତା ଶରଣ ପାନ୍‌ଧର କହିଛନ୍ତି।

ଆଜି ଆଲୋଚନା ଆରମ୍ଭ ପୂର୍ବରୁ ପ୍ରଥମେ ଆନ୍ଦୋଳନ‌ରେ ପ୍ରାଣ ହରାଇଥିବା ଚାଷୀଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା। ସୂଚନାଯୋଗ୍ୟ ଯେ କୃଷି ଆଇନ ପ୍ରତ୍ୟାହାର ଦାବିରେ ନଭେମ୍ବର ୨୬ରୁ ଦିଲ୍ଲୀ ସୀମାରେ ଶୀତ କାକରରେ ଚାଷୀମାନେ ଆନ୍ଦୋଳନ ଚଳାଇ ଆସୁଛନ୍ତି। ଚାଷୀ ଆନ୍ଦୋଳନକୁ ୪୦ ଦିନ ବିତିଯାଇଥିବା ସତ୍ତ୍ବେ କୌଣସି ସମାଧାନର ପନ୍ଥା ଏ ଯାଏ ବାହାରି ପାରୁନି। ଅପରପକ୍ଷେ, ଗତ ଡିସେମ୍ବର ୩୦ରେ ହୋଇଥିବା ଷଷ୍ଠ ପର୍ଯ୍ୟାୟ ଆଲୋଚନା ବେଳେ କୃଷି ଆଇନରେ ସଂଶୋଧନ ପାଇଁ ସରକାର ପ୍ରସ୍ତାବ ରଖିଥିଲେ। ମାତ୍ର ଚାଷୀମାନେ ସରକାରଙ୍କ ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ସମ୍ବନ୍ଧିତ ଖବର