ନୂଆଦିଲ୍ଲୀ: କୃଷକମାନଙ୍କର ପ୍ରତିବାଦ କରିବାର ଅଧିକାର ଅଛି କିନ୍ତୁ, ସେମାନେ ସହର ଅବରୋଧ କରି ପାରିବେ ନାହିଁ ବୋଲି ଗୁରୁବାର ଦିନ ସୁପ୍ରମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍.ଏ.ବୋବଡେ କହିଛନ୍ତି।
ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଏକ ଖଣ୍ଡପୀଠ ଆଜି କେନ୍ଦ୍ର ସରକାରଙ୍କର ତିନୋଟି ନୂଆ କୃଷି ଆଇନର ସାମ୍ବିଧାନିକ ବୈଧ୍ୟତାକୁ ଚାଲେଞ୍ଜ୍ କରି ଆଗତ ପିଟିସନ୍ଗୁଡ଼ିକର ଶୁଣାଣି କରିବା ସମୟରେ ଏ କଥା କହିଛନ୍ତି।
/sambad/media/post_attachments/wp-content/uploads/2020/12/supreme-courte.jpg)
ପ୍ରଧାନ ବିଚାରପତି କହିଛନ୍ତି, କୃଷକମାନଙ୍କର ପ୍ରତିବାଦ ଅଧିକାର ଅଛି। ଆମେ ସେଥିରେ ହସ୍ତକ୍ଷେପ କରିବୁ ନାହିଁ। କିନ୍ତୁ କିଭଳି ଭାବେ ପ୍ରତିବାଦ କରାଯାଉଛି ସେ ପ୍ରସଙ୍ଗ ବିଚାରଯୋଗ୍ୟ। କେଉଁ ପ୍ରକାରରେ ପ୍ରତିବାଦ ଚାଲିଛି ସେ ପ୍ରସଙ୍ଗରେ ଆମେ କେନ୍ଦ୍ର ସରକାରଙ୍କୁ ପଚାରିବୁ। ଏଥିରେ ସାମାନ୍ୟ ପରିବର୍ତ୍ତନ କରିଦେଲେ ନାଗରିକମାନଙ୍କର ପ୍ରତିବାଦ ଅଧିକାର କ୍ଷୁର୍ଣ୍ଣ ହେବନାହିଁ। ଧନଜୀବନକୁ କ୍ଷତି ନ କରିବା ପର୍ଯ୍ୟନ୍ତ ହେଉଥିବା ପ୍ରତିବାଦକୁ ସାମ୍ବିଧାନିକ ପ୍ରତିବାଦ କୁହାଯାଇପାରିବ।
କେନ୍ଦ୍ର ସରକାର ଓ କୃଷକମାନେ ଆଲୋଚନା କରନ୍ତୁ। ଉଭୟ ପକ୍ଷଙ୍କ ଅଭିଯୋଗ ଉପସ୍ଥାପନ ପାଇଁ ଏକ ନିରପେକ୍ଷ ଓ ସ୍ୱାଧୀନ କମିଟି କଥା ଆମେ ବିଚାର କରୁଛୁ ବୋଲି ସେ କହିଛନ୍ତି।
କେନ୍ଦ୍ର ସରକାର ନୂଆ କୃଷି ଆଇନ ରଦ୍ଦ ନ କଲେ ଆଗକୁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା । ଚାଷୀ ସଂଗଠନଗୁଡ଼ିକ ସିଧାସଳଖ କହିଛନ୍ତି, ଯେଉଁ ଦିନ କେନ୍ଦ୍ର ସରକାର ୩ଟି ଯାକ କୃଷି ଆଇନ ରଦ୍ଦ କରିଦେବେ, ସେହି ଦିନ ଚାଷୀ ଆନ୍ଦୋଳନ ପ୍ରତ୍ୟାହାର କରିନେବେ । କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପାଂଚ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇସାରିଛି । ସେହିପରି ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ କୃଷକ ସଂଗଠନଙ୍କ ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର ବାଟ ବାହାରିନାହିଁ ।