କେନ୍ଦ୍ର ସରକାରଙ୍କ ସହ କଥା ନହେବା ପର୍ଯ୍ୟନ୍ତ ଆମେ ଆନ୍ଦୋଳନ ବନ୍ଦ କରିବୁ ନାହିଁ: ରାକେଶ ଟିକାୟତ

ନୂଆଦିଲ୍ଲୀ: ଆଜି କୃଷକ ଆନ୍ଦୋଳନକୁ ପୂରିଛି ୧ ବର୍ଷ । ଏଥିପାଇଁ ଆଜି ଗାଜୀପୁର, ସିଂଘୁ ଏବଂ ଟିକରୀ ସୀମାରେ ଏକାଠି ହୋଇଛନ୍ତି ହଜାର ହଜାର ଚାଷୀ । ହରିୟାଣା ବହାଦୁରଗଡ଼ରେ କୃଷକମାନେ ମହାପଞ୍ଚାୟତ କରିଛନ୍ତି । କୃଷି ଆଇନ ଉଚ୍ଛେଦ ବିଲକୁ କ୍ୟାବିନେଟ ମଞ୍ଜୁରୀ ଦେବା ପରେ ବି ଶକ୍ତି ପ୍ରଦର୍ଶନ କରୁଛନ୍ତି କୃଷକ । ଏହି ଅବସରରେ କୃଷକ ନେତା ରାକେଶ ଟିକାୟତ କହିଛନ୍ତି ଯେ, ସରକାର ଆଲୋଚନା ପାଇଁ ପ୍ରସ୍ତୁତ ନୁହଁନ୍ତି। ସରକାରଙ୍କ ସହ କଥାବାର୍ତ୍ତା ନକରି ଆନ୍ଦୋଳନ ଶେଷ କରିବାର କୌଣସି ଯୋଜନା ନାହିଁ।

କୃଷକ ଆନ୍ଦୋଳନର ଏକ ବର୍ଷ ପୂରଣ ହେବାପରେ କୃଷକ ନେତା ରାକେଶ ଟିକାୟତ କହିଛନ୍ତି ଯେ, ବର୍ତ୍ତମାନ ଆନ୍ଦୋଳନ ଚାଲିଛି। ଯଦି କେନ୍ଦ୍ର ସରକାର ଆଲୋଚନା କରନ୍ତି, ତା’ହେଲେ ଆଗକୁ କଣ କରିବୁ, ତାହା ଚିନ୍ତା କରିବୁ। ସରକାର ଆଦୌ କଥା ହେବାକୁ ଚାହାଁନ୍ତି ନାହିଁ। କଥାବାର୍ତ୍ତା ନକରି ସମାଧାନର ବାଟ କିପରି ମିଳିବ?

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରାକେଶ ଟିକାୟତ କହିଛନ୍ତି ଯେ, ଏମଏସପି ଗ୍ୟାରେଣ୍ଟି ପ୍ରଦାନ ନକରିବା ପର୍ଯ୍ୟନ୍ତ ଏବଂ ଆନ୍ଦୋଳନରେ ନିହତ କୃଷକଙ୍କ ପରିବାରକୁ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ପଛକୁ ହଟିବୁ ନାହିଁ। ୭୫୦କୃଷକଙ୍କ ମୃତ୍ୟୁର ଦାୟିତ୍ବ, ଏମଏସପିକୁ ନେଇ ଗ୍ୟାରେଣ୍ଟି ଆଇନ, ଅଜୟ ଟେନି ଏବଂ ଚାଷୀଙ୍କ ବିରୋଧରେ ହୋଇଥିବା ମାମଲା ଉପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ସରକାର ଦେବା ଉଚିତ। ଏହା ଆମର ଦାବି ଯେ ଏମଏସପି ଉପରେ ଏକ ଗ୍ୟାରେଣ୍ଟି ଆଇନ ପ୍ରସ୍ତୁତ କରାଯିବା ଉଚିତ୍। ଆମେ ଟ୍ରାକ୍ଟର ରାଲି ବାହାର କରିବୁ, ନଭେମ୍ବର ୨୯ରେ ୩୦ଟି ଟ୍ରାକ୍ଟର ରାଲିରେ ସାମିଲ ହେବ ।

ସମ୍ବନ୍ଧିତ ଖବର