୧୪ରୁ ଚାଷୀଙ୍କ ଆମରଣ ଅନଶନ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ଏବେ ଜୋର୍‌ଦାର ହୋଇଛି। କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀ-ଜୟପୁର ଜାତୀୟ ରାଜପଥକୁ ଅଚଳ କରିଦେବା ପାଇଁ ଆଜି ଚେତାବନୀ ଦିଆଯିବା ପରେ ପୁଲିସ ସୁରକ୍ଷା ବଢ଼ାଇ ଦିଆଯାଇଛି। ଅନ୍ୟପକ୍ଷରେ ହରିୟାଣାରେ କୃଷକମାନେ ଏକ ଟୋଲ୍‌ ପ୍ଲାଜାକୁ ଘେରାଉ କରି ରଖିଛନ୍ତି। ଆଜି କୃଷକ ନେତାମାନେ ସରକାର ବିରୋଧୀ ଆଭିମୁଖ୍ୟ ଆହୁରି କଠୋର କରିଛନ୍ତି ଏବଂ ଡିସେମ୍ବର ୧୪ରୁ ସମସ୍ତ କୃଷକ ନେତା ସିଂଘୁ ସୀମାରେ ଆମରଣ ଅନଶନରେ ବସିବେ ବୋଲି ଘୋଷଣା କରିଛନ୍ତି। ସିଂଘୁ ସୀମାରେ ଅନୁ‌ଷ୍ଠିତ ଏକ ବୈଠକରେ ଆଜି ଏ ସଂକ୍ରାନ୍ତ ନିଷ୍ପତ୍ତି ହୋଇଛି ଏବଂ ୧୪ ଡିସେମ୍ବରରେ ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କୁହାଯାଇଛି।

ତିନିଟି ଯାକ କୃଷି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ଏବଂ ଦେଶବ୍ୟାପୀ ଚାଷୀମାନେ ଆନ୍ଦୋଳନରେ ସାମିଲ ହେବେ ବୋଲି ମିଳିତ କୃଷକ ଆନ୍ଦୋଳନର ନେତା ପ୍ରୀତ୍‌ ସିଂହ ପନ୍ନୁ କହିଛନ୍ତି। କେନ୍ଦ୍ର ସରକାର ଆମ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚାହୁଛନ୍ତି, କିନ୍ତୁ ଏଭଳି କରିବାକୁ ଆମେ କଦାପି ସୁଯୋଗ ଦେବୁନାହିଁ ବୋଲି ସେ କହିଛନ୍ତି। ଆସନ୍ତାକାଲି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଟ୍ରାକ୍ଟର ଶୋଭାଯାତ୍ରା ବାହାରିବ। ପୂର୍ବାହ୍ନ ୧୧ଟାରୁ ରାଜସ୍ଥାନର ଶାହଜାହନପୁରରୁ ଏହି ଶୋଭାଯାତ୍ରା ବାହାରି ଜୟପୁର-ଦିଲ୍ଲୀ ଜାତୀୟ ରାଜପଥକୁ ଅଚଳ କରିଦିଆଯିବ ବୋଲି ପନ୍ନୁ କହିଛନ୍ତି।

ସମ୍ବନ୍ଧିତ ଖବର