ଦାବି ପୂରଣ ଜିଦ୍‌ରେ ଚାଷୀ ଅଟଳ : ଆଲୋଚନା ପୁଣି ବିଫଳ

ସାଢ଼େ ୭ ଘଣ୍ଟାର ମନ୍ଥନ, ୫ରେ ପୁଣି ବୈଠକ
ପଦ୍ମବିଭୂଷଣ ସମ୍ମାନ ଫେରାଇଦେଲେ ବାଦଲ

ନୂଆଦିଲ୍ଲୀ : ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ସହିତ ଆଜି କେନ୍ଦ୍ର ସରକାର ଆଲୋଚନା କରିଛନ୍ତି। ୭ ଘଣ୍ଟା ଧରି ଚାଲିଥିବା ଏହି ବୈଠକ ପୁଣି ବିଫଳ ହୋଇଛି। ନୂ୍ଆ ଆଇନରେ କିଛି ସଂଶୋଧନ କରିବାକୁ ସରକାର ରାଜି ଥିବା ବେଳେ ଚାଷୀମା‌ନେ ଜିଦ୍ ଧରିଛନ୍ତି ଯେ ଏହି ଆଇନକୁ ସଂପୂର୍ଣ୍ଣ ରୂପେ ପ୍ରତ୍ୟାହାର କରାଯାଉ। ଏହା ଉପରେ ଅଧିକ ଆଲୋଚନା ଲାଗି ଆସନ୍ତା ୫ ତାରିଖରେ ପୁଣି ବୈଠକ ହେବ।

ନୂଆଦିଲ୍ଲୀ ବିଜ୍ଞାନ ଭବନରେ ହୋଇଥିବା ଏହି ଆଲୋଚନାରେ ୪୦ଟି କୃଷକ ସଂଗଠନର ପ୍ରତିନିଧି ସାମିଲ ହୋଇଥିଲେ। ଆଲୋଚନାରେ କୌଣସି ସମାଧାନ ପନ୍ଥା ବାହାରିପାରି ନାହିଁ। ନୂତନ ଭାବେ ଲାଗୁ ହୋଇଥିବା ୩ଟି କୃଷି ଆଇନକୁ ସରକାର ପ୍ରତ୍ୟାହାର କରିନେବା ଦାବିରେ ଚାଷୀ ନେତାମାନେ ଅଟଳ ରହିଛନ୍ତି। ଅନ୍ୟପକ୍ଷରେ ସରକାର କୃଷକମାନଙ୍କୁ ବୁଝାଇବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି। ଆଜି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ କରାଯାଇଥିବା ୧୦ ପୃଷ୍ଠା ସମ୍ବଳିତ ଦାବିପତ୍ର ସରକାରଙ୍କୁ ପ୍ରଦାନ କରାଯାଇଥି‌ଲା। ସଂସଦର ସ୍ବତନ୍ତ୍ର ଅଧିବେସନ ଡକାଇ ନୂଆ କୃଷି ଆଇନ ରଦ୍ଦ କରିବାକୁ ଦାବି କୃଷକ ନେତାମାନେ ଦୋହରାଇଥିଲେ। ନୂଆ କୃଷି ଆଇନ ଚାଷୀମାନଙ୍କ ସ୍ବାର୍ଥହାନି କରିବ ଏବଂ ଏହାକୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର ପାଇଁ ସଂସଦର ସ୍ବତନ୍ତ୍ର ଅଧିବେସନ ଜରୁରୀ ବୋଲି ଚାଷୀ ନେତାମାନେ ଦୃଢ଼ ଦାବି କରିଛନ୍ତି। ବୈଠକରେ କୃଷି ସଚିବ ନୂଆ ଆଇନକୁ ନେଇ କୃଷକମାନଙ୍କ ବି‌ଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ତେବେ ସରକାରଙ୍କ ବିଭିନ୍ନ ଯୋଜନା କିଭଳି ଭଣ୍ଡୁର ହେଉଛି ତାହାକୁ ମଧ୍ୟ ଚାଷୀ ନେତାମାନେ ଦର୍ଶାଇଥିଲେ। ବିଭିନ୍ନ ରାଜ୍ୟରେ କୃଷକଙ୍କ ଦୁସ୍ଥିତି ପାଇଁ ସରକାରଙ୍କ ଢିଲା ନୀତି କିଭଳି ଦାୟୀ ତାହାକୁ ଚାଷୀ ନେତାମାନେ ଉତ୍‌ଥାପନ କରିଥିଲେ।

ବୈଠକରେ କୃଷକ ପ୍ରତିନିଧିମାନେ ଲଗାତାର ସର୍ବନିମ୍ନ ସମର୍ଥନ ମୂଲ୍ୟ ବା ଏମ୍‌ଏସ୍‌ପି ନେଇ ସେମାନଙ୍କ ଦାବି ରଖିଥିଲେ। ଏହା ସହିତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ଯେଉଁ ପ୍ରାବଧାନ ରହିଛି ତାହାକୁ ମଧ୍ୟ ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା। କଣ୍ଟ୍ରାକ୍ଟ ଫାର୍ମିଂ ନେଇ ସରକାରଙ୍କ ଯୋଜନା ଏବଂ ନୂଆ ଆଇନ୍‌ରେ ରହିଥିବା ବ୍ୟବସ୍ଥାକୁ ମଧ୍ୟ ଗ୍ରହଣ କରିବାକୁ ଚାଷୀ ନେତାମାନେ ପ୍ରସ୍ତୁତ ନାହାନ୍ତି। ଚାଷୀମାନଙ୍କ ଅସହମତି ଦୂର କରିବା ପାଇଁ କୃଷି ମନ୍ତ୍ରୀ ନରେନ୍ଦ୍ର ତୋମର ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ଏବଂ ପ୍ରତ୍ୟେକ ସମସ୍ୟାର ସମାଧାନ ହେବ ବୋଲି ଆଶ୍ବାସନା ଦେଇଥିଲେ। ତେବେ ଚାଷୀ ନେତାମାନେ ଏହାକୁ ଗ୍ରହଣ କରିନଥିଲେ। ସେମାନେ କହିଥିଲେ ଯେ ଏମଏସପିକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଉ । ଏଥିଲାଗି ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ମଧ୍ୟ ସେମାନେ ପ୍ରସ୍ତାବ ଦେଇଥିଲେ।

ଏହାପୂର୍ବରୁ ଆଜି ପୂର୍ବାହ୍ନରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଚାଷୀ ଆନ୍ଦୋଳନ ସଂପର୍କରେ ଆଲୋଚନା କରିଥିଲେ। ପରେ ସେ କହିଥିଲେ ଯେ ସରକାର ଏମଏସପିକୁ ସୁରକ୍ଷା ଦିଅନ୍ତୁ ଏବଂ ଚାଷୀମାନଙ୍କ କଥା ଶୁଣନ୍ତୁ।

ଆଜି ଅନ୍ୟ ଏକ ଉଲ୍ଲେଖନୀୟ ଘଟଣା ହେଉଛି ଯେ ଅକାଳି ଦଳ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ପଦ୍ମବିଭୂଷଣ ପୁରସ୍କାର ଫେରାଇ ଦେଇଛନ୍ତି। ସେ କହିଛନ୍ତି ଯେ ଚାଷୀମାନଙ୍କ ପ୍ରତି କେନ୍ଦ୍ର ସରକାର ବିଶ୍ବାସଘାତ କରିଥିବାରୁ ସେ ଏହାର ପ୍ରତିବାଦ କରିବାକୁ ଯାଇ ପୁରସ୍କାର ଫେରାଇଛନ୍ତି।

ସମ୍ବନ୍ଧିତ ଖବର