ନୂଆ କୃଷି ଆଇନକୁ ପ୍ରତ୍ୟାହାର କର, ନଚେତ୍ ଆଲୋଚନାରୁ ଓହରିବୁ : ସରକାରଙ୍କୁ କୃଷକଙ୍କ ଚରମବାଣୀ

ନୂଆଦିଲ୍ଲୀ :  ନୂଆ କୃଷି ଆଇନ ସମ୍ପର୍କରେ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ୫ମ ପର୍ଯ୍ୟାୟ ଆଲୋଚନା ଦିଲ୍ଲୀର ବିଜ୍ଞାନ ଭବନରେ ଜାରି ରହିଛି । ତେବେ ଏହି ଆଲୋଚନାରେ କୌଣସି ସମାଧାନର ରାସ୍ତା ବାହାରୁ ନଥିବାରୁ କୃଷକ ସଂଗଠନଗୁଡ଼ିକ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଦେଇଛନ୍ତି । ଏହି ଆଇନ ପ୍ରତ୍ୟାହାର ସମ୍ପର୍କରେ ସରକାର ତୁରନ୍ତ ନିଷ୍ପତ୍ତି ନ ନେଲେ ଏହି ଆଲୋଚନାରୁ ବାହାରି ଯିବାକୁ କୃଷକ ପ୍ରତିନିଧିମାନେ ଧମକ ଦେଇଛନ୍ତି ।

ପୂର୍ବରୁ ୪ଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ବାହାରି ପାରିନାହିଁ ।

କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଜି ଆଉ ଥରେ କହିଛନ୍ତି ଯେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ସମ୍ପର୍କରେ କୃଷକମାନଙ୍କର ଦାବି ଉପରେ ବିଚାର କରୁଛନ୍ତି । ଏମଏସପି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେବ ନାହିଁ । କୃଷି ଆଇନରେ ଥିବା ଆଉ କେତେକ ବ୍ୟବସ୍ଥା ଉପରେ ସରକାର ପୁନର୍ବିଚାର କରିବାକୁ ରାଜି ହୋଇଥିଲେ ମଧ୍ୟ ସରକାର ସମ୍ପୂର୍ଣ୍ଣ କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି ସଂଗଠନଗୁଡ଼ିକ ଦାବି କରୁଛନ୍ତି ।

ଅନ୍ୟପକ୍ଷରେ ଜାତିସଂଘ ମଧ୍ୟ ଭାରତର ଏହି ପ୍ରସଙ୍ଗ ଉପରେ ଆଜି ନିଜର ମତ ରଖିଛି । ସରକାର ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନକୁ ଅନୁମତି ଦେବା ଉଚିତ ବୋଲି ଜାତିସଂଘର ମୁଖପାତ୍ର କହିଛନ୍ତି ।

ସମ୍ବନ୍ଧିତ ଖବର