‘ଆଜିର ବୈଠକ ଆମ ପାଇଁ ଅପମାନ; ଗଣତନ୍ତ୍ର ଦିବସରେ ଆମର ପ୍ରସ୍ତାବିତ ଟ୍ରାକ୍ଟର ରାଲି ବାହାରିବ’: କୃଷକ ନେତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକ ନେତାମାନେ ଆଜି (ଶୁକ୍ରବାର) ସନ୍ଧ୍ୟାରେ କହିଛନ୍ତି ଯେ ସରକାରଙ୍କ ସହ ଏକାଦଶ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଦିଲ୍ଲୀର ବ୍ୟସ୍ତବହୁଳ ବାହ୍ୟ ରିଙ୍ଗ ରୋଡରେ ଜାନୁଆରି ୨୬ ଗଣତନ୍ତ୍ର ଦିବସରେ ସେମାନଙ୍କର ପ୍ରସ୍ତାବିତ ଟ୍ରାକ୍ଟର ରାଲି ଅନୁଷ୍ଠିତ ହେବ।

ଆଜିର ବୈଠକ ପରେ କୃଷକ ନେତା ବଲବୀର ସିଂ ରାଜୱାଲ କହିଛନ୍ତି ଯେ ଆଜିର ବୈଠକ ଆମମାନଙ୍କ ପାଇଁ ଏକ ଅପମାନ ଥିଲା। ସରକାରଙ୍କ ସହ ଏକାଦଶ ରାଉଣ୍ଡ ଆଲୋଚନା ବିଫଳ ହେବା ପରେ ଆମର ପୂର୍ବ ନିଷ୍ପତ୍ତି ଅନୁଯାୟୀ ଦିଲ୍ଲୀର ବ୍ୟସ୍ତବହୁଳ ବାହ୍ୟ ରିଙ୍ଗ ରୋଡରେ ଜାନୁଆରି ୨୬ ଗଣତନ୍ତ୍ର ଦିବସରେ ପ୍ରସ୍ତାବିତ ଟ୍ରାକ୍ଟର ରାଲି ଅନୁଷ୍ଠିତ ହେବ। ସେ କହିଛନ୍ତି ଯେ ଏହି ରାଲି ଶାନ୍ତିପୂର୍ଣ୍ଣ ହେବା ନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ। କୃଷି ଆଇନକୁ ବିରୋଧ କରୁଥିବା ସଂଗଠନଗୁଡ଼ିକ ଏହି ରାଲିକୁ ଶାନ୍ତିପୂର୍ଣ୍ଣ ରଖିବା ସହ ସେମାନେ ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରି ଜୋରଦାର କରିବେ ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ, କିଷାନ ମଜଦୁର ସଂଘର୍ଷ କମିଟିର ନେତା ଏସ୍‌ ଏସ୍‌ ପନ୍ଦହେର ଅଭିଯୋଗ କରି କହିଛନ୍ତି ଯେ ଆଜିର ବୈଠକ ପାଇଁ ମନ୍ତ୍ରୀ ଆମକୁ ଦୀର୍ଘ ସାଢ଼େ ତିନି ଘଣ୍ଟା କାଳ ଅପେକ୍ଷା କରାଇ ଥିଲେ। ଏହା କୃଷକମାନଙ୍କ ପାଇଁ ଅପମାନ। ସେ ବୈଠକକୁ ଆସିବା ପରେ ଆମକୁ ସରକାରଙ୍କ ପ୍ରସ୍ତାବ ମାନି ନେବାକୁ କହିଥିଲେ ଏବଂ କହିଥିଲେ ଯେ ସେ ଆଲୋଚନା ପ୍ରକ୍ରିୟା ଶେଷ କରୁଛନ୍ତି। ସରକାରଙ୍କ ପ୍ରସ୍ତାବରେ ଆମେ ରାଜି ନହେବା ପର୍ଯ୍ୟନ୍ତ ଆଉ ବୈଠକ ହେବ ନାହିଁ ବୋଲି କହି ଚାଲି ଯାଇଥିଲେ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କର ନୂତନ ତିନିଟି କୃଷି ଆଇନର ପ୍ରତ୍ୟାହାର ଦାବି କରି ହଜାର ହଜାର ସଂଖ୍ୟାରେ କୃଷକ ଗତ ନଭେମ୍ବର ୨୮ ତାରଖ ଠାରୁ ଦିଲ୍ଲୀର ସୀମାରେ ବିକ୍ଷୋଭ ଆନ୍ଦୋଳନ ଚଳାଇଛନ୍ତି।

ସମ୍ବନ୍ଧିତ ଖବର