ନୂଆଦିଲ୍ଲୀ: ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶର ହଜାର ହଜାର କୃଷକ ଦିଲ୍ଲୀ ସୀମାର ତିନିଟି ସ୍ଥାନ- ସିଂଘୁ, ଟିକ୍ରି ଓ ଗାଜିପୁରଠାରେ ତିନି କୃଷି ଆଇନ ବିରୋଧରେ ଗତ ବର୍ଷ ନଭେମ୍ବର ମାସରୁ ଆନ୍ଦୋଳନ କରିଆସୁଛନ୍ତି। ସରକାର ଓ କୃଷକଙ୍କ ମଧ୍ୟରେ ୧୦ ରାଉଣ୍ଡ କଥାବାର୍ତ୍ତା ସରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ନାହିଁ। ତେବେ ଆଜି ଶୁଣାଣି ଅବସରରେ ସୁପ୍ରିମ୍‌କୋର୍ଟ ଆନ୍ଦୋଳନ ନାମରେ ଜନସାଧାରଣଙ୍କ ରାସ୍ତା ଅବରୋଧ କରାଯାଇ ପାରିବ ନାହିଁ ବୋଲି କହିବା ପରେ ଦିଲ୍ଲୀର ଗାଜିପୁର ସୀମାରେ କୃଷକମାନେ ଆଂଶିକ ଅବରୋଧ ହଟାଇଥିବା ଜଣାପଡ଼ିଛି। ଗାଜିପୁର ସୀମାରେ କୃଷକମାନେ ଫ୍ଲାଇଓଭର ତଳେ ଏକ ସର୍ଭିସ୍ ରାସ୍ତାର କିଛି ଅଂଶ ଗାଡ଼ି ଯିବାଆସିବା ପାଇଁ ଛାଡ଼ିଛନ୍ତି। ଏହି ରାସ୍ତା ଗାଜିଆବାଦରୁ ଦିଲ୍ଲୀ ଯାଇଛି। କୃଷକମାନେ ବର୍ତ୍ତମାନ ଫ୍ଲାଇଓଭରର ଉପର ପଟେ ବସିବେ।

Advertisment

ଆଜି ସୁପ୍ରିମ୍‌କୋର୍ଟ ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକମାନଙ୍କର କୃଷି ଆଇନ ବିରୋଧରେ ଆନ୍ଦୋଳନ କରିବାର ଅଧିକାର ଅଛି କିନ୍ତୁ ସେମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ରଖିପାରିବେ ନାହିଁ ବୋଲି କହିବା ପରେ ତୁରନ୍ତ ଅବରୋଧ ହଟାଇବା ପାଇଁ ବିଭିନ୍ନ ମହଲ ଦାବି କରିଥିଲେ। ଜଷ୍ଟିସ୍ ଏସ୍‌କେ କୌଲଙ୍କ ନେତୃତ୍ବାଧୀନ ବେଞ୍ଚ କହିଥିଲେ, ‘ତୁମର ଆନ୍ଦୋଳନ କରିବାର ଅଧିକାର ଅଛି ଏବଂ ଲୋକଙ୍କର ବି ରାସ୍ତାରେ ଯିବାର ଅଧିକାର ଅଛି। ତେଣୁ ଆନ୍ଦୋଳନ ଅବରୋଧ କରାଯାଇପାରିବ ନାହିଁ।’