ନୂଆଦିଲ୍ଲୀ: ଚାଷୀମାନେ ଆସନ୍ତାକାଲି ହରିୟାଣାର କର୍ନଲଠାରେ ମହାସମାବେଶ କରି ମିନି ସଚିବାଳୟକୁ ଘେରାଉ କରିବା ଡାକରା ଦେଇଛନ୍ତି। ଚାଷୀମାନଙ୍କ ଉପରେ ଗତମାସ ୨୮ ତାରିଖରେ ଏଠାରେ ହୋଇଥିବା ଲାଠିମାଡ଼ ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ଡାକରା ଦେଇଛନ୍ତି। ତେବେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସତର୍କତାମୂଳକ ପଦକ୍ଷେପ ପୂର୍ବକ ହରିୟାଣା ସରକାର କର୍ନଲରେ ଆସନ୍ତା ୭ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଟରନେଟ୍ ଏବଂ ଏସଏମଏସ ସେବାକୁ ବନ୍ଦ କରିଦେଇଛନ୍ତି। ଆଜି ରାତି ୧୨ଟା ୩୦ରୁ ୭ ତାରିଖ ରାତି ୧୧ଟା ୫୯ ମିନିଟ ପର୍ଯ୍ୟନ୍ତ ଏହି ସେବାକୁ କାଟି ଦିଆଯାଇଛି। ରାଜରାସ୍ତା ଏବଂ ମିନି ସଚିବାଳୟକୁ ଆସନ୍ତାକାଲି ଘେରାଉ କରିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କର୍ନଲ ଜିଲ୍ଲାପାଳ କହିଛନ୍ତି। ଚାଷୀମାନଙ୍କ ସହିତ ଆମେ କଥା ହୋଇଛୁ। ସେମାନଙ୍କ ଦାବି ଯଥାର୍ଥ ନୁହେଁ।
ଆଇନ ଉଲ୍ଲଂଘନକାରୀଙ୍କ ପାଇଁ କୌଣସି କ୍ଷତିପୂରଣ ଦିଆଯିବ ନାହିଁ ଏବଂ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ସେ କହିଛନ୍ତି। ଏଥିସହିତ ଜିଲ୍ଲାରେ ଯେଭଳି ବହୁସଂଖ୍ୟାରେ ଲୋକ କୌଣସି ସ୍ଥାନରେ ଏକତ୍ର ହେବେ ନାହିଁ ସେଥିପାଇଁ ୧୪୪ ଧାରା ଜାରି କରାଯାଇଛି। ଅନ୍ୟପକ୍ଷରେ ହରିୟାଣା ଭାରତୀୟ କିଷାନ ସଂଘ ମୁଖ୍ୟ ଗୁରନାମ ସିଂହ ଚାରୁନି କହିଛନ୍ତି, କର୍ନଲ ପ୍ରଶାସନ ସହ ହୋଇଥିବା ବୈଠକରୁ କୌଣସି ଫଳାଫଳ ମିଳିନାହିଁ। କର୍ନଲର ଶସ୍ୟ ବଜାରରେ ଆସନ୍ତାକାଲି ୧୦ଟା ବେଳେ ପହଞ୍ଚିବା ପାଇଁ ଚାରୁନି ହରିୟାଣା, ପଞ୍ଜାବ ଏବଂ ଉତ୍ତର ପ୍ରଦେଶର ଚାଷୀମାନଙ୍କୁ ଆହ୍ବାନ କରିଛନ୍ତି। ସେଠାରେ ସେମାନେ ବୈଠକ କରି ମିନି ସଚିବାଳୟ ଘେରାଉ ଅଭିମୁଖେ ବାହାରିବେ ବୋଲି ଜଣାଯାଇଛି।
ଚାଷୀଙ୍କ ବୈଠକ ଏବଂ ଘେରାଉ ଡାକରା ପରିପ୍ରେକ୍ଷୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଅତିକମ୍ରେ ୪୦ କମ୍ପାନି ଅତିରିକ୍ତ ଫୋର୍ସ, ୫ ଜଣ ଏସପି ପାହ୍ୟା ଅଧିକାରୀ ଏବଂ ୨୫ ଡିଏସପି ପାହ୍ୟା ଅଧିକାରୀଙ୍କ ସମେତ ହଜାର ହଜାର ପୁଲିସ ଏଠାରେ ମୁତୟନ ରହିବେ। ଚାଷୀ ସଂଗଠନ ଗୁଡ଼ିକ କର୍ନଲ ଏସଡିଏମ ଆୟୁଷ ସିହ୍ନାଙ୍କ ବିରୋଧରେ ଏତଲା ରୁଜୁ ପାଇଁ ଦାବି କରିଛନ୍ତି। ଏଥିସହିତ ଲାଠିମାଡ଼ରେ ମୃତ୍ୟୁବରଣ କରିଥିବା ଚାଷୀ ସୁଶୀଲ କାଜଲଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ସହିତ ତାଙ୍କର ନିକଟ ସଂପର୍କୀୟଙ୍କୁ ଚାକିରି ଦେବା ସହିତ ଆହତ ଚାଷୀମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ, ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ପାଇଁ ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/456546g465da4g65ad45gadggdag.jpg)