୧୦୦ ଦିନରେ ଚାଷୀ ଆନ୍ଦୋଳନ : ଦେଶବ୍ୟାପୀ ହେବ ପ୍ରତିବାଦ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଆଜି ୧୦୦ ଦିନ ପୂରିବ। ସରକାର ଏବଂ ଚାଷୀ ସଂଗଠନ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିବାରୁ ଆଗକୁ ଆନ୍ଦୋଳନ ଜାରି ରହିବ ଏବଂ ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଶୁକ୍ରବାର ଦିନ ସିଂଘୁ ଆନ୍ଦୋଳନସ୍ଥଳରେ ଚାଷୀ ନେତାମାନେ ଘୋଷଣା କରିଛନ୍ତି। ଚାଷୀ ସଂଗଠନମାନେ ୧୦୦ ଦିନ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ କରିବେ। ଦିଲ୍ଲୀରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କେଏମ୍‌ପି ଏକ୍ସପ୍ରେସ୍‌ୱେରେ ରାସ୍ତା ଅବରୋଧ କରି ବିରୋଧ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଗୋଟିଏ ପଟେ ଚାଷୀ ଆନ୍ଦୋଳନ ଦିଗହରା ହୋଇଯାଇଥିବା ଅଭିଯୋଗ ଆଣି କେତେକ ସଂଗଠନ ଏଥିରୁ ଓହରୁଥିବା ବେଳେ ଅନ୍ୟପଟେ ପଂଜାବ ଏବଂ ହରିୟାଣାରୁ ବହୁ ସଂଖ୍ୟାରେ ଯୁବକ ଆନ୍ଦୋଳନରେ ସାମିଲ ହେଉଛନ୍ତି। ଏବେ ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ଆନ୍ଦୋଳନସ୍ଥଳରେ ଫ୍ୟାନ୍‌, କୁଲର ଏବଂ ଏସି ଲଗାଯାଉଛି । ଆନ୍ଦୋଳନକାରୀଙ୍କ ପାଇଁ ଆଖୁ ରସ ଏବଂ ତରଭୁଜ ବ୍ୟବସ୍ଥା ହୋଇଛି । ଆନ୍ଦୋଳନସ୍ଥଳରେ ବୋରୱେଲ୍‌ ମଧ୍ୟ ଖନନ କରାଯାଇଛି।

ଆଜି ଚାଷୀଙ୍କ ରାସ୍ତା ଅବରୋଧ ଏବଂ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସ୍ଥିତି ସମୀକ୍ଷା କରିଛନ୍ତି। ପ୍ରତିବାଦ କାର୍ଯ୍ୟକ୍ରମ ବେଳେ ସାଧାରଣ ଜନତାଙ୍କ ପାଇଁ ସମସ୍ୟା ସୃଷ୍ଟି ନକରିବାକୁ ଚାଷୀ ନେତାମାନଙ୍କୁ କୁହାଯାଇଛି। ଏବେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି ଏବଂ ସେଠାରେ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରଦର୍ଶନ ପାଇଁ ଚାଷୀ ସଂଗଠନମାନେ ଯୋଜନା କରୁଛନ୍ତି। ଆଗାମୀ ୮ ତାରିଖ ଦିନ ଦେଶବ୍ୟାପୀ ଧାରଣାସ୍ଥଳଗୁଡ଼ିକରେ ମହିଳାମାନେ ଆନ୍ଦୋଳନକୁ ପରିଚାଳନା କରିବେ। ଏହି ଦିବସକୁ ମହିଳା କୃଷକ ଦିବସ ଭାବେ ପାଳନ କରାଯିବ। ଅନ୍ୟପକ୍ଷରେ ନୂଆ କୃଷି ଆଇନ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ପ୍ରଶ୍ନ ଉଠୁନାହିଁ ବୋଲି ମଧ୍ୟ ସରକାର ପୂର୍ବରୁ ସ୍ପଷ୍ଟ କରିଛନ୍ତି। ଚାଷୀ ନେତାମାନେ ଜିଦ୍‌ ଛାଡ଼ି ଆଇନରେ ସଂଶୋଧନ ପ୍ରସ୍ତାବ ଦେଲେ ଏହା ବିଚାର କରାଯିବ ବୋଲି ସରକାର କହିଛନ୍ତି।

ସମ୍ବନ୍ଧିତ ଖବର