୧୯ ଦିନରେ କୃଷକ ଆନ୍ଦୋଳନ : ସମାଧାନର ବାଟ ଖୋଜୁଛନ୍ତି ଶାହ

ପଞ୍ଜାବ ନେତାଙ୍କଠାରୁ ମତାମତ ନିଆଯାଉଛି
ହରିୟାଣାରେ ଚାଷୀ ନେତାଙ୍କୁ ମନାଇବାକୁ ପ୍ରୟାସ ଜାରି
ସିଂଘୁ ସୀମା ପାଲଟିଛି ଆନ୍ଦୋଳନର କେନ୍ଦ୍ର

ନୂଆଦିଲ୍ଲୀ : ନୂଆ କୃଷି ଆଇନକୁ ବିରୋଧ କରି ପ୍ରାୟ ୪୦ଟି କୃଷକ ସଂଗଠନ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଦିନକୁ ଦିନ ବ୍ୟାପକ ହେଉଛି। କେନ୍ଦ୍ର ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ଲାଗି ରହିଥିବା ଅଚଳାବସ୍ଥାର ଅବସାନ ପାଇଁ ବିଭିନ୍ନସ୍ତରରେ ପ୍ରୟାସ ଜାରି ରହିଛି।

କୃଷକମାନେ କୃଷି ଆଇନ ରଦ୍ଦ କରିବାକୁ ଜିଦ୍‌ରେ ଅଟଳ ରହିଥିବା ବେଳେ କୌଣସି ସଂଶୋଧନ ପ୍ରସ୍ତାବ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ଏଭଳି ସ୍ଥିତିରେ ସମାଧାନର ରାସ୍ତା ବାହାର କରିବା ପାଇଁ ଏବେ ଗୃହମନ୍ତ୍ରୀ ଅମିତ ଶାହ ସକ୍ରିୟ ହୋଇଉଠିଛନ୍ତି। ଶାହ ପ୍ରଥମେ ପଂଜାବ ବିଜେପି ନେତାମାନଙ୍କ ସହ ଆଲୋଚନା କରି ପଂଜାବରେ କୃଷକ ସଂଗଠନଗୁଡ଼ିକର ଆଭିମୁଖ୍ୟ ବଦଳାଇବା ଏବଂ ସେମାନଙ୍କୁ ବୁଝାଇବା ପାଇଁ ରଣନୀତି ଉପରେ ଗୁରୁତ୍ବାରୋପ କରିଛନ୍ତି। ସେହିଭଳି ହରିୟାଣାରେ ମଧ୍ୟ କୃଷକ ନେତାମାନଙ୍କୁ ନୂଆ କୃଷି ଆଇନ କେତେ ଜରୁରୀ ତାହା ବୁଝାଇବାକୁ ବରିଷ୍ଠ ବିଜେପି ନେତାମାନଙ୍କୁ ଦାୟିତ୍ବ ଦିଆଯାଇଛି। ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌତାଲା ଚାଷୀ ନେତାଙ୍କ ସହ ନିୟମିତ ସଂପର୍କରେ ଥିବା ବେଳେ ଖୁବ୍‌ଶୀଘ୍ର ଆନ୍ଦୋଳନକୁ ନେଇ ବଡ଼ ଘୋଷଣା ହୋଇପାରେ ବୋଲି ଆଶା ରଖିଛନ୍ତି। ଆସନ୍ତାକାଲି କୃଷକଙ୍କ ଉପବାସ ଅନଶନ ଥିବାରୁ ଦେଶବ୍ୟାପୀ ଆନ୍ଦୋଳନ ସ୍ଥିତି ନେଇ ଆଜି ଶାହ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର୍‌ଙ୍କଠାରୁ ରିପୋର୍ଟ ନେଇଛନ୍ତି।

କୃଷି ଆଇନ୍‌ରେ ଆବଶ୍ୟକ ହେଲେ ସଂଶୋଧନ କରାଯିବାକୁ ସରକାର ଯେଉଁ ପ୍ରସ୍ତାବ ଦେଇଥିଲେ ତାହାକୁ କୃଷକ ନେତାମାନେ ଅଣଦେଖା କରିବା ଉଚିତ ନଥିଲା ବୋଲି କେନ୍ଦ୍ର ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ସୋମ୍‌ ପ୍ରକାଶ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ନୂଆ କୃଷି ଆଇନ ଏକ ଯୁଗାନ୍ତକାରୀ ପଦକ୍ଷେପ ଥିବା ବେଳେ କେବଳ ବିରୋଧ ଉଦ୍ଦେଶ୍ୟରେ ହିଁ କିଛି ମୁଷ୍ଟିମେୟ ଲୋକ ଏହାର ବିରୋଧ କରୁଛନ୍ତି। ବିଜେପି କୃଷି ଆଇନ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଯେଉଁ ଅଭିଯାନ ଆରମ୍ଭ କରିଛି, ତାହାଦ୍ବାରା ଜନତା ସଠିକ୍‌ ତଥ୍ୟ ଅବଗତ ହେବେ ବୋଲି ରବିଶଙ୍କର କହିଛନ୍ତି। ଅନ୍ୟପକ୍ଷରେ ସିଂଘୁ ସୀମା ଏବେ କୃଷକ ଆନ୍ଦୋଳନର ମୁଖ୍ୟ କେନ୍ଦ୍ର ପାଲଟିଯାଇଛି। ଏହି ସୀମା ବନ୍ଦ ରହିବାରୁ ଦିଲ୍ଲୀ-ହରିୟାଣା ଯାତାୟତ କରୁଥିବା ଲୋକଙ୍କ ପାଇଁ ସମସ୍ୟା ଉପୁଜିଛି। ଆସନ୍ତାକାଲି ଉପବାସ ଅନଶନର ମୁଖ୍ୟ କାର୍ଯ୍ୟକ୍ରମ ଏଠାରେ ଅନୁଷ୍ଠିତ ହେବ ଏବଂ ସମସ୍ତ କୃଷକ ସଂଗଠନର ପ୍ରତିନିଧିମାନେ ଏଥିରେ ସାମିଲ ହେବେ। କୃଷକ ଆନ୍ଦୋଳନକୁ ଏବେ ୧୮ରୁ ଅଧିକ ରାଜନୈତିକ ଦଳ ସମର୍ଥନ କରୁଥିବା ବେଳେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ମଧ୍ୟ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି।

ସମ୍ବନ୍ଧିତ ଖବର