ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚାଷୀ ସଂଗଠନଗୁଡ଼ିକର ଦାବି ପୂରଣ କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଏହାର ପ୍ରତିବାଦରେ ଆଜିଠାରୁ ଚଣ୍ଡିଗଡ଼ରେ ବଡ଼ ଧରଣର ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଛି। ନୂଆ କୃଷି ଆଇନ ହଟାଇବା ଦାବିରେ ଦିଲ୍ଲୀରେ ୩ ବର୍ଷ ତଳେ ଯେଭଳି ବିଶାଳ ଆନ୍ଦୋଳନ ହୋଇଥିଲା, ସେହିଭଳି ଆନ୍ଦୋଳନ ଚଣ୍ଡିଗଡ଼ରେ ଦାନା ବାନ୍ଧୁଛି। ଚଣ୍ଡିଗଡ଼ରେ ଆରମ୍ଭ ହୋଇଥିବା ୩ ଦିନଆ ଆନ୍ଦୋଳନ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍) ନେତୃତ୍ବରେ ଆରମ୍ଭ ହୋଇଥିବା ବେଳେ ଉତ୍ତର ଭାରତର ବିଭିନ୍ନ ଚାଷୀ ସଂଗଠନର ନେତାମାନେ ଏଥିରେ ସାମିଲ ହୋଇଛନ୍ତି। ପଂଜାବ ଓ ହରିୟାଣାରୁ ଶତାଧିକ ଟ୍ରାକ୍ଟର ଟ୍ରଲିରେ ଚାଷୀମାନେ ଆନ୍ଦୋଳନ ସ୍ଥଳରେ ପହଞ୍ଚିଛନ୍ତି।
ଉତ୍ତରପ୍ରଦେଶ ଓ ରାଜସ୍ଥାନରୁ ମଧ୍ୟ ଚାଷୀମାନେ ଆସନ୍ତାକାଲି ଏଥିରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଚାଷୀମାନଙ୍କ ପ୍ରମୁଖ ଦାବିଗୁଡ଼ିକ ହେଲା-ସମସ୍ତ ଫସଲରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରିବା, ଏମ୍ଏସ୍ପି ଉପରେ ଆଇନଗତ ଗ୍ୟାରେଣ୍ଟି ଦେବା, ଦିଲ୍ଲୀ ଚାଷୀ ଆନ୍ଦୋଳନ ସମୟରେ ଯେଉଁ ଚାଷୀ ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ତାହାକୁ ପ୍ରତ୍ୟାହାର କରିବା ଏବଂ ୬୦ ବର୍ଷରୁ ଅଧିକ ବୟସର ଚାଷୀଙ୍କୁ ମାସିକ ୧୦ ହଜାର ଟଙ୍କା ପେନ୍ସନ ଦେବା ଇତ୍ୟାଦି। ୧୦ ଦଫା ଦାବି ନେଇ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଦାବି ପୂରଣ ନେଇ ସରକାର କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି ବୋଲି ଚାଷୀ ନେତାମାନେ କହିଛନ୍ତି।