ମୁମ୍ବାଇରେ ଚାଷୀ ଆନ୍ଦୋଳନ : ପାୱାରଙ୍କ ଶକ୍ତି ପ୍ରଦର୍ଶନ ଆଜି

ନାସିକ୍‌ରୁ ମୁମ୍ବାଇ ପର୍ଯ୍ୟନ୍ତ ୧୮୦ କିମି ରାଲି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନରେ ଏବେ ମହାରାଷ୍ଟ୍ରର ଚାଷୀମାନେ ସାମିଲ ହୋଇଛନ୍ତି। ରାଜ୍ୟର ୨୧ଟି ଜିଲ୍ଲାର ଚାଷୀ ନାସିକ୍‌ରୁ ମୁମ୍ବାଇ ପର୍ଯ୍ୟନ୍ତ ୧୮୦ କିମି ବ୍ୟାପୀ ରାାଲିରେ ବାହାରିଛନ୍ତି। ଆସନ୍ତାକାଲି ମୁମ୍ବାଇରେ ଚାଷୀମାନଙ୍କ ମେଗା ରାଲି ଅନୁଷ୍ଠିତ ହେବ ଏବଂ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଏଥିରେ ସାମିଲ ହେବେ ବୋଲି ଘୋଷଣା କରିଛନ୍ତି। ଏନ୍‌ସିପି ରାଜ୍ୟରେ ଚାଲିଥିବା ମେଣ୍ଟ ସରକାରରେ ଅଂଶୀଦାର ରହିଥିବାରୁ ଚାଷୀ ଆନ୍ଦୋଳନ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ରହିଛି। ଚାଷୀ ଆନ୍ଦୋଳନକୁ କଂଗ୍ରେସ ଆରମ୍ଭରୁ ପୂର୍ଣ୍ଣ ସମର୍ଥନ କରି ଆସିଥିବା ବେଳେ ଏବେ ଶିବସେନାର ଆଭିମୁଖ୍ୟ ଉପରେ ସମସ୍ତଙ୍କର ନଜର ରହିଛି। ଗତକାଲି ଶରଦ ପାୱାର ଚାଷୀ ଆନ୍ଦୋଳନ ନେଇ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଥିଲେ ଯେ ନୂଆ କୃଷି ଆଇନ ନେଇ ସରକାର ତୁରନ୍ତ କୌଣସି ନିଷ୍ପତ୍ତି ନନେଲେ ଆଗକୁ ପରିସ୍ଥିତି ଜଟିଳ ହେବ ଏବଂ ଏଥିପାଇଁ ସରକାର ଦାୟୀ ରହିବେ। ସରକାର ଗରିବ ଚାଷୀଙ୍କ ଧୈର୍ଯ୍ୟ ପରୀକ୍ଷା ନ କରିବାକୁ ସେ କହିଥିଲେ।

ରବିବାର ପଂଜାବର ଜଣେ ଚାଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ୍‌ଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ନୂଆ କୃଷି ଆଇନକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ହେଉଥିବା ଦାବିକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରୁନଥିବାରୁ ତାଙ୍କୁ ଏ ଦିଗରେ ବୁଝାଇ ଆଇନ ପ୍ରତ୍ୟାହାର କରିବା ପାଇଁ କହିବା ନିମନ୍ତେ ସେ ହୀରାବେନ୍‌ଙ୍କୁ ନିବେଦନ କରିଛନ୍ତି। ‘ଏହା ସମ୍ଭବ ହେଲେ ସମଗ୍ର ଦେଶ ଆପଣଙ୍କୁ ଧନ୍ୟବାଦ ଜଣାଇବ’ ବୋଲି ଏକ ଆବେଗପୂର୍ଣ୍ଣ ପତ୍ରରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର