କେନ୍ଦ୍ର ବଜେଟକୁ ବିରୋଧ କରି ପଞ୍ଜାବରେ ଚାଷୀ ଆନ୍ଦୋଳନ

ଅମୃତସର : କେନ୍ଦ୍ର ବଜେଟ୍‌କୁ ବିରୋଧ କରି ପଂଜାବରେ ଚାଷୀମାନେ ଆନ୍ଦୋଳନ କରିଛନ୍ତି। ବଜେଟରେ କୃଷକ ସମ୍ପ୍ରଦାୟକୁ ଅଣଦେଖା‌ କରାଯାଇଥିବା ଦାବି କରି ଆଜି କେଏମଏସସି ( କିଷାନ ମଜଦୁର ସଂଘର୍ଷ କମିଟି) ଅଧୀନରେ କୃଷକମାନେ ପଂଜାବର ଅମୃତସର, ଗୁରୁଦାସପୁର ଏବଂ ତରନ ତାରନ ମୋଟ୍‌ ୧୬ଟି ସ୍ଥାନରେ ଆନ୍ଦୋଳନ କରିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥ ମନ୍ତ୍ରୀ ନିର୍ମଳା ସୀତା‌ରମଣଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।

ଅମୃତସରରେ କୃଷକମାନେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର କୃଷକଙ୍କ ଦିଲ୍ଲୀ ଅଭିଯାନ ସଫଳ ହୋଇଥିବାରୁ ତାହାର ପ୍ରତିଶୋଧ ନେଇଛନ୍ତି।‌ ସେଥିପାଇଁ କେନ୍ଦ୍ର ବଜେଟରେ ସେମାନଙ୍କ ପାଇଁ କିଛି ନାହିଁ। କେଏମଏସସି ନେତା ରଂଜିତ ସିଂହ କଲେରବାଲା ଅଭିଯୋଗ କରିଛନ୍ତି ଯେ କୃଷକମାନେ ସରକାରଙ୍କ କର୍ପୋରେଟ୍‌ ସମର୍ଥିତ ନୀତିରେ ପେଶି ହୋଇଯାଇଛନ୍ତି। ମନରେଗା ଯୋଜନାରେ ବ୍ୟୟବରାଦ ହ୍ରାସ କରାଯାଇଥିବାରୁ ଏହାକୁ କୃଷକମାନେ ବିରୋଧ କରିଛନ୍ତି। କେଏମଏସସି ରାଜ୍ୟ ସାଧାରଣ ସମ୍ପାଦକ ସରୱନ ସିଂହ ପଣ୍ଢେର କହିଛନ୍ତି, କୃଷକମାନଙ୍କ ନିକଟରେ ଅନ୍ୟ କୌଣସି ବାଟ ନାହିଁ। ସେମାନେ କୃଷି ପ୍ରସଙ୍ଗ ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ଆନ୍ଦୋଳନ ବଜାୟ ରଖିବାକୁ ବାଧ୍ୟ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର