ଚାଷୀ ଆନ୍ଦୋଳନ: ଦେଶବ୍ୟାପୀ ରେଳରୋକ ଆଜି

ସିଂଘୁ ସୀମା‌ରେ ପୁଲିସ ଉପରେ ଆକ୍ରମଣ, ଆନ୍ଦୋଳନ ଶେଷ କରିବାକୁ ସରକାର ତତ୍ପର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ଚାଷୀମାନେ ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକ ଆନ୍ଦୋଳନ କରିବେ। ଦେଶବ୍ୟାପୀ ବିଭିନ୍ନ ରାଜ୍ୟରୁ ଦିଲ୍ଲୀକୁ ସଂଯୋଗ ହୋଇଥିବା ରେଳ ପଥଗୁଡ଼ିକୁ ୪ ଘଣ୍ଟା ପାଇଁ ଅବରୋଧ କରାଯିବ ବୋଲି ଚାଷୀ ନେତା ରାକେଶ ଟିକାୟତ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟରେ ରଖି ସରକାର ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିଛନ୍ତି। ପଂଜାବ, ହରିୟାଣା, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଂଗରେ ଅତିରିକ୍ତ ୨୦ କମ୍ପାନି ଆର୍‌ପିଏସ୍‌ଏଫ୍‌ ଯବାନ ମୁତୟନ କରାଯାଇଛି। ଆନ୍ଦୋଳନ ସମୟରେ ଯାତ୍ରୀମାନଙ୍କୁ କୌଣସି ସମସ୍ୟାରେ ନ ପକାଇବା ଏବଂ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ରଖିବା ପାଇଁ ସରକାର ଚାଷୀ ନେତାମାନଙ୍କୁ ସତର୍କ କରାଇ ଦେଇଛନ୍ତି।

ଅନ୍ୟପକ୍ଷରେ ଚାଷୀ ଆନ୍ଦୋଳନର ପ୍ରମୁଖ ସ୍ଥଳ ସିଂଘୁ ସୀମାରେ କେତେକ ଆନ୍ଦୋଳନକାରୀ ପୁଲିସ ଉପରେ ଘାତକ ଆକ୍ରମଣ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଜଣେ ଆନ୍ଦୋଳନକାରୀ ପୁଲିସ କାର୍‌ ନେଇ ଖସି ପଳାଇବାକୁ ଉଦ୍ୟମ କରିବା ସହ ପୁଲିସ କର୍ମୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲା। ପୁଲିସ ଆକ୍ରମଣକାରୀକୁ ଗିରଫ କରି ଜେରା ଚଳାଇଛି। ସିଂଘୁ ସୀମାରେ ପୁଣି ଉତ୍ତେଜନା ବଢ଼ୁଥିବାରୁ ପୁଲିସ ମୁତୟନ ମଧ୍ୟ ବଢ଼ିଛି।

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନ ଆଜି ୮୪ ଦିନରେ ପହଞ୍ଚିଛି ଏବଂ ଆନ୍ଦୋଳନର ଅବସାନ ପାଇଁ ଏବେ ସରକାର ତତ୍ପର ହୋଇ ଉଠିଥିବା ଜଣାପଡ଼ିଛି। କେନ୍ଦ୍ର କୃଷିମନ୍ତ୍ରୀ ଏବଂ ଅନ୍ୟ କ୍ୟାବିନେଟ୍‌ ମନ୍ତ୍ରୀମାନେ ଆନ୍ଦୋଳନର ପରିସମାପ୍ତି ପାଇଁ ଚାଷୀ ନେତାଙ୍କ ସହ ସଂପର୍କରେ ଥିବା ବେଳେ ଅନ୍ୟପଟେ ପଂଜାବ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ସରକାରଙ୍କ ସହ ଏ ବାବଦରେ ଆଲୋଚନା ଚାଲିଛି। ଅନ୍ୟପକ୍ଷରେ ବିଜେପି ନେତୃତ୍ବ ମଧ୍ୟ ଆନ୍ଦୋଳନ ଶେଷ କରିବା ପାଇଁ ନୂଆ ରଣନୀତିରେ କାମ କରୁଛି। ଗତକାଲି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଏଥିପାଇଁ ଏକ ବଡ଼ ବୈଠକ ହୋଇଥିଲା। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେପି ନଡ୍ଡା, କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଉତ୍ତରପ୍ରଦେଶ ଏବଂ ହରିୟାଣାର ଜାଟ୍‌ ସାଂସଦ ଏବଂ ବିଧାୟକମାନେ ଅଂଶଗ୍ରହଣ କରିଥିଲେ। ଅମିତ ଶାହ ଏହି ଅବସରରେ କହିଥିଲେ ଯେ ସମସ୍ତ ବିଧାୟକ ଏବଂ ସାଂସଦ ନିଜ ଅଂଚଳରେ ଚାଷୀଙ୍କୁ ନୂଆ ଆଇନର ଉପାଦେୟତା ସଂପର୍କରେ ବୁଝାଇବାକୁ ହେବ। ଚାଷୀ ଆନ୍ଦୋଳନ ସହ ଅସଲରେ ଚାଷୀଙ୍କର କୌଣସି ସଂପର୍କ ନାହିଁ ଏବଂ ଏହା ସଂପୂର୍ଣ୍ଣ ରାଜନୈତିକ ଆନ୍ଦୋଳନ ବୋଲି ଶାହ କହିଥିଲେ।

ଚାଷୀ ଆନ୍ଦୋଳନର ପ୍ରମୁଖ ଜାଟ୍‌ ନେତା ରାକେଶ ଟିକାୟତଙ୍କ ପ୍ରଭାବକୁ ରୋକିବା ପାଇଁ ଏବେ ବିଜେପି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଟିକାୟତଙ୍କୁ ଟକ୍କର ଦେବାପାଇଁ କେନ୍ଦ୍ରମନ୍ତ୍ରୀ ତଥା ଜାଟ୍‌ ନେତା ସଂଜୀବ ବଲିୟାନଙ୍କୁ ଦାୟିତ୍ବ ଦିଆଯାଇଛି। ଚାଷୀମାନଙ୍କ ସ୍ବାର୍ଥ ରକ୍ଷା ଦିଗରେ ଏନ୍‌ଡିଏ ସରକାର କିଭଳି ନିଷ୍ଠାର ସହ କାମ କରୁଛନ୍ତି ସେ ବାବଦରେ ଜାଟ୍‌ମାନଙ୍କୁ ବୁଝାଇବା ଦାୟିତ୍ବ ବଲିୟାନଙ୍କୁ ଦିଆଯାଇଛି ।

ସମ୍ବନ୍ଧିତ ଖବର