ଚାଷୀ ଆନ୍ଦୋଳନ: ଯୋଗଦେଲେ ବିରୋଧୀ ଦଳ ନେତା

‘କଳା ଆଇନ’ ବିରୋଧରେ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ଯନ୍ତର ମନ୍ତରରେ ଚାଲିଥିବା ଚାଷୀ ଆନ୍ଦୋଳନରେ ଆଜି ବିରୋଧୀ ଦଳ ନେତାମାନେ ଯୋଗ ଦେଇଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ବିରୋଧୀ ଦଳ ନେତାମାନେ ଆଜି ଅପରାହ୍ନରେ ଯନ୍ତର ମନ୍ତର ଆନ୍ଦୋଳନସ୍ଥଳରେ ପହଞ୍ଚିଥିଲେ ଏବଂ ‘କୃଷକ ବଞ୍ଚାଅ, ଭାରତ ବଞ୍ଚାଅ’ ସ୍ଲୋଗାନ ଦେଇଥିଲେ। କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ବିରୋଧରେ ଲଢ଼େଇ ଜାରି ରହିବ ବୋଲି ରାହୁଲ କହିଥିଲେ। ‘ବିରୋଧୀ ଦଳମାନେ ସଂସଦରେ ପେଗାସସ ସ୍ପାଏୱେର ମାମଲା ନେଇ ଆଲୋଚନା ଚାହୁଥିଲେ ମଧ୍ୟ ସରକାର ଏହା କରାଇ ଦେଉନାହାନ୍ତି ଏବଂ ପ୍ରତ୍ୟେକ ଭାରତୀୟଙ୍କ ଫୋନ୍‌କୁ ନରେନ୍ଦ୍ର ମୋଦୀ ହ୍ୟାକ୍‌ କରୁଛନ୍ତି’ ବୋଲି ରାହୁଲ କହିଥିଲେ। ଚାଷୀ ଆନ୍ଦୋଳନକୁ ବିରୋଧୀ ଦଳମାନଙ୍କ ସମର୍ଥନ ନେଇ ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ କହିଛନ୍ତି ଯେ ବିରୋଧୀ ଦଳମାନେ ଆମର ଦାବିକୁ ସମର୍ଥନ କରିବା ବହୁତ ଭଲ କଥା କିନ୍ତୁ ସେମାନଙ୍କୁ ଆନ୍ଦୋଳନର ମଂଚରେ ସ୍ଥାନ ଦେଇପାରିବୁ ନାହିଁ।

ଆଜି ଚାଷୀ ଆନ୍ଦୋଳନ ସ୍ଥଳରେ ରାହୁଲଙ୍କ ସମେତ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ, ମଲ୍ଲିକାର୍ଜୁନ ଖାଡ଼ଗେ, ଶିବସେନା ନେତା ସଂଜୟ ରାଉତ, ଆର୍‌ଜେଡି ନେତା ମନୋଜ ଝା ପ୍ରମୁଖ ଯୋଗ ଦେଇଥିଲେ। ତେବେ ଟିଏମ୍‌ସି, ବିଏସ୍‌ପି ଏବଂ ଆପ୍‌ ନେତାମାନେ ଏହି କାର୍ଯ୍ୟକ୍ରମରୁ ଦୂରରେ ରହିଥିଲେ। ଯନ୍ତର ମନ୍ତରକୁ ଯିବା ପୂର୍ବରୁ ୧୪ଟି ବିରୋଧୀ ଦଳ ନେତା ସଂସଦ ଭବନରେ ଏକତ୍ରିତ ହୋଇ ଚାଷୀ ଆନ୍ଦୋଳନକୁ ଦୃଢ଼ ସମର୍ଥନ କରିବାକୁ ଘୋଷଣା କରିଥିଲେ ଏବଂ ପରେ ଏକ ବସ୍‌ରେ ଯାଇ ଆନ୍ଦୋଳନସ୍ଥଳରେ ପହଞ୍ଚିଥିଲେ।

କମ୍ପାନିମାନଙ୍କ ଦ୍ବାରା କେନ୍ଦ୍ର ସରକାର ପରିଚାଳିତ ହେଉଛି: ଟିକାୟତ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ବିଜେପି ଦ୍ବାରା ପରିଚାଳିତ ହେଉନାହିଁ, ଏହା କିଛି କମ୍ପାନି ଦ୍ବାରା ପରିଚାଳିତ ହେଉଛି ବୋଲି ବିକେୟୁ (ଭାରତୀୟ କିଷାନ ୟୁନିଅନ୍‌) ନେତା ରାକେଶ ଟିକାୟତ କହିଛନ୍ତି। ଗଣମାଧ୍ୟମକୁ ଆଜି ଟିକାୟତ କହିଛନ୍ତି, କୃଷକ ଆନ୍ଦୋଳନ କୃଷକଙ୍କର। ଏହା ଏକ ରାଜନୈତିକ ଆନ୍ଦୋଳନ ନୁହେଁ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସଂକ୍ରାନ୍ତରେ ଏକ ପ୍ରଶ୍ନର ଉତ୍ତର ରଖି ସେକହିଛନ୍ତି, ଆମେ ନିର୍ବା‌ଚନ ନେଇ କୌଣସି ମତ ରଖିବୁ ନାହିଁ ଏବଂ କୃଷି ଆଇନ ପ୍ରତ୍ୟାହାର ସଂକ୍ରାନ୍ତ‌ରେ ଆମର ମତ ଅତି ସ୍ପଷ୍ଟ। ଏହା ଏକ ଗଣତାନ୍ତ୍ରିକ ଆନ୍ଦୋଳନ ବୋଲି ମତ ରଖି ଟିକାୟତ କହିଛନ୍ତି, ନୂଆ କୃଷି ଆଇନ ସଂକ୍ରାନ୍ତରେ ସଚେତନ କରାଇବାପାଇଁ ଚାଷୀ ନେତାମାନେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପଞ୍ଚାୟତ କରୁଛନ୍ତି। ସେ ମଧ୍ୟ ୧୬ଟି ରାଜ୍ୟରେ ପଞ୍ଚାୟତ କରିଥିବା କହିଛନ୍ତି। ତେବେ ଆନ୍ଦୋଳନ କେବଳ ଉତ୍ତରପ୍ରଦେଶ ଚାଷୀଙ୍କ ମଧ୍ୟରେ ସୀମିତ ନାହିଁ । ସମଗ୍ର ଦେଶରେ ଆନ୍ଦୋଳନଚାଲିଛି ବୋଲି ଟିକାୟତ କହିଛନ୍ତି।

ସମ୍ବନ୍ଧିତ ଖବର