ଚାଷୀ ଆନ୍ଦୋଳନ: ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି

ମୋଦୀଙ୍କ ଆଶ୍ବାସନା, ନୂଆ କୃଷି ଆଇନ ଚାଷୀଙ୍କ ଆୟ ବଢ଼ାଇବ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି କୃଷକ ଆନ୍ଦୋଳନ ତୀବ୍ର ହେବ ବୋଲି କୃଷକମାନେ ଘୋଷଣା କରିବାପରେ ଦିଲ୍ଲୀ ପୁଲିସ ଆଜି ଜାତୀୟ ରାଜଧାନୀର ବିଭିନ୍ନ ସୀମାରେ କଂକ୍ରିଟ୍‌ ବ୍ୟାରିକେଡ୍‌ ରଖିଛି। ଆନ୍ଦୋଳନରେ ସାମିଲ ହେବା ପାଇଁ ଆଜି ପଂଜାବରୁ ଆସିଥିବା କୃଷକମାନଙ୍କୁ ବିଭିନ୍ନ ସ୍ଥାନରେ ପୁଲିସ ଅଟକାଇବା ସହ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ ସୀମାରେ ଅତିରିକ୍ତ ପୁଲିସ ବାହିନୀ ମୁତୟନ ହୋଇଛନ୍ତି। ଗୁରୁଗ୍ରାମରେ ୧ ହଜାରରୁ ଅଧିକ ପୁଲିସ ଏବଂ ଫରିଦାବାଦ୍‌ରେ ୩,୫୦୦ରୁ ଅଧିକ ପୁଲିସ ମୁତୟନ ହୋଇଛନ୍ତି। ରାଜସ୍ଥାନ ସୀମାରୁ ହଜାର ହଜାର କୃଷକ ଟ୍ରାକ୍ଟର ରୢାଲିରେ ବାହାରୁଥିବାରୁ ଏହା ଉପରେ ମଧ୍ୟ ନଜର ରଖାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୃଷକମାନଙ୍କୁ ଆଶ୍ବାସନା ଦେଇ କହିଛନ୍ତି, କୃଷକମାନଙ୍କ ରୋଜଗାର ବଢ଼ାଇବାପାଇଁ ଏବଂ ସେମାନଙ୍କୁ ଅଧିକ ସମୃଦ୍ଧ କରିବାପାଇଁ ଆମେ ସମସ୍ତ ପଦ‌କ୍ଷେପ ଗ୍ରହଣ କରିଛୁ । ନୂଆ କୃଷି ଆଇନ ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ସୁଧାରିବାରେ ବିଶେଷ ସହାୟକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କୃଷକମାନେ ଉଭୟ ମଣ୍ଡି ଏବଂ ମଣ୍ଡି ବାହାରେ ସେମାନଙ୍କ ଉତ୍ପାଦନ ବିକ୍ରି କରିପାରିବେ। ମୋଦୀ କହିଛନ୍ତି କୃଷକଙ୍କ ମଙ୍ଗଳ ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ନୂଆ ଆଇନ କୃଷକମାନଙ୍କୁ ସେମାନଙ୍କ ରୋଜଗାର ବୃଦ୍ଧିପାଇଁ ଏକ ବିକଳ୍ପ ବଜାର ଆଣିଦେବାର ଲକ୍ଷ୍ୟ ରଖିଛି। ସରକାରୀ ନୀତି ଏବଂ କାର୍ଯ୍ୟ ବଳରେ କୃଷକମାନଙ୍କ ସ୍ବ‌ାର୍ଥକୁ ସୁରକ୍ଷା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ସରକାରଙ୍କ ବ୍ୟାପକ ଆଶ୍ବାସନା ଏବଂ ଆବଶ୍ୟକ ସ୍ଥଳେ ନୂଆ କୃଷି ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ସତ୍ତ୍ବେ କୃଷକମାନେ ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି। ସୁପ୍ରିମ୍‌ କୋର୍ଟରେ କୃଷି ଆଇନ ରଦ୍ଦ କରାଯିବା ନେଇ କୃଷକ ସଂଗଠନ ପକ୍ଷରୁ ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟପଟେ ବିଜେପି ମଧ୍ୟ ଆଇନ ସପକ୍ଷରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ଅଭିଯାନ ଆରମ୍ଭ କରିଦେଇଛି।

ସମ୍ବନ୍ଧିତ ଖବର