ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବୁରାଡ଼ିଠାରେ ଚାଲିଥିବା ଚାଷୀ ଆନ୍ଦୋଳନ ଦିନକୁ ଦିନ ଜୋରଦାର ହେବାରେ ଲାଗିଛି। ଗତକାଲି ୩୫ ଜଣ କୃଷକ ନେତା ଏବଂ ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଥିବା ବେଳେ ଆସନ୍ତାକାଲି ସରକାର ଓ ଚାଷୀଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ । ଏହି ଆଲୋଚନା ପୂର୍ବରୁ ପୂର୍ବାହ୍ନ ସାଢ଼େ ୯ଟାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମଧ୍ୟରେ ବି ପୃଥକ୍ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଆଜି ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ‘ଅଖିଳ ଭାରତ ମୋଟର ପରିବହନ ସଂଘ’ (ଏଆଇଏମ୍ଟିସି) ଡିସେମ୍ବର ୮ରୁ ସମଗ୍ର ଦେଶରେ ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ ବନ୍ଦ କରିଦେବାକୁ ଚେତାବନୀ ଦେଇଛି। ଏଆଇଏମ୍ଟିସି ଅଧୀନରେ ଥିବା ୧ କୋଟି ଟ୍ରକ୍ ଏହି ବନ୍ଦରେ ସାମିଲ୍ ହେବେ ବୋଲି ସଂଘ ପକ୍ଷରୁ ଘୋଷଣା କରାଯାଇଛି।
ଆନ୍ଦୋଳନରେ ସାମିଲ୍ ହୋଇଥିବା ୩୨ ଚାଷୀ ସଂଗଠନ ସେମାନଙ୍କ ଜିଦ୍ରେ ଅଟଳ ରହିଛନ୍ତି। ସରକାର ନୂଆ କୃଷି ଆଇନ (କଳା ଆଇନ)କୁ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଚାଷୀମାନେ କହିଛନ୍ତି। ସରକାର ଦାବି ନ ଶୁଣିଲେ ଦିଲ୍ଲୀର ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ରାସ୍ତାଗୁଡ଼ିକୁ ବନ୍ଦ କରିଦେବାକୁ ଚାଷୀ ନେତା ଗୁର୍ନାମ ସିଂହ ଚାଦୋନି ଚେତାବନୀ ଦେଇଛନ୍ତି। ନୂଆ କୃଷି ଆଇନ ନେଇ କେନ୍ଦ୍ର ସରକାର ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଚାଦୋନି ଆହ୍ବାନ ଦେଇଛନ୍ତି। କୃଷି ଆଇନ ପ୍ରତ୍ୟାହାର ନ କଲେ ସମ୍ପୂର୍ଣ୍ଣ ଦିଲ୍ଲୀକୁ ଅଚଳ କରିଦେବାକୁ ଚାଷୀନେତାମାନେ ଧମକ ଦେଇଛନ୍ତି। ଆଜି ଉତ୍ତରପ୍ରଦେଶର ୩୦୦ରୁ ଊର୍ଦ୍ଧ୍ବ ଚାଷୀ ନୋଇଡା-ଦିଲ୍ଲୀକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରିଛନ୍ତି।
ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ ବନ୍ଦ ଧମକ ଦେଲା ଅଖିଳ ଭାରତ ମୋଟର ପରିବହନ ସଂଘ
ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ
ଆଜି ମହାରାଷ୍ଟ୍ରରେ ଚାଷୀ ବିକ୍ଷୋଭ
ସଂସଦର ସ୍ବତନ୍ତ୍ର ଅଧିବେଶନ ପାଇଁ ଆହ୍ବାନ
ଅପରପକ୍ଷେ, ଚାଷୀ ଆନ୍ଦୋଳନକୁ ନେଇ ଦିଲ୍ଲୀରେ ସ୍ଥିତି ଜଟିଳ ହୋଇପଡ଼ିଛି। ଦିଲ୍ଲୀରେ ପରିବହନ ବାଧାପ୍ରାପ୍ତ ହେବା ସହ ଦରଦାମ୍ ମଧ୍ୟ ପ୍ରଭାବିତ ହୋଇଛି। ତେବେ ଆସନ୍ତାକାଲି ଚାଷୀ ନେତାଙ୍କ ସହ ଆଲୋଚନା ହେବ ଏବଂ ଏଥିରୁ ନିଶ୍ଚିତ ସୁଫଳ ମିଳିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର୍ ପ୍ରକାଶ କରିଛନ୍ତି। ଚାଷୀ ଆନ୍ଦୋଳନକୁ ହଟାଇବାକୁ ଆବଶ୍ୟକ ହେଲେ ସେନାବାହିନୀର ସହାୟତା ନିଆଯିବ ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ମନ୍ତବ୍ୟକୁ କଂଗ୍ରେସ ପକ୍ଷରୁ ଜୋର୍ଦାର ବିରୋଧ କରାଯାଇଛି। ଆଜି ପଞ୍ଜାବ ଯୁବ କଂଗ୍ରେସ କର୍ମୀ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ।
ଯୋଗାଣ ବାଧାପ୍ରାପ୍ତ, ରାସ୍ତା ବନ୍ଦ, ଟ୍ରାଫିକ୍ ଜାମ୍, ପନିପରିବା ଦର ଆକାଶଛୁଆଁ
ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଞ୍ଚିବା ସହ ଦିଲ୍ଲୀରେ ଆନ୍ଦୋଳନରତ କୃଷକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଭିନ୍ନ ରାଜ୍ୟର କୃଷକ ସଂଗଠନ କୃଷକ ଆନ୍ଦୋଳନକୁ ସମର୍ଥନ କରିବାରୁ ଏବଂ ଦିଲ୍ଲୀରେ ଏକଜୁଟ ହେବାରୁ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଘାଜିପୁରରେ ଦିଲ୍ଲୀ -ଉତ୍ତରପ୍ରଦେଶ ସୀମାରେ ଆନ୍ଦୋଳନ ଉଗ୍ର ରୂପ ନେବାରୁ ଦିଲ୍ଲୀରୁ ଉତ୍ତରପ୍ରଦେଶକୁ ସଂଯୋଗ କରୁଥିବା ଏକ ପ୍ରମୁଖ ରାସ୍ତା ବନ୍ଦ ହୋଇଯାଇଛି। ସିଂଘୁ ଏବଂ ଟିକ୍ରିରେ ହରିୟାଣା-ଦିଲ୍ଲୀ ସୀମା ମଧ୍ୟ ବନ୍ଦ ରହିଛି। ସେହିପରି ଦିଲ୍ଲୀକୁ ଗୁଡ଼ଗାଓଁ ଏବଂ ଝାଜ୍ଜର -ବାହାଦୁର୍ଗା ସହ ସଂଯୋଗ କରୁଥିବା ଅନ୍ୟ ୨ଟି ସୀମା ମଧ୍ୟ ବନ୍ଦ ରହିଛି। ଆନ୍ଦୋଳନ ପାଇଁ ମୋଟ୍ ୫ଟି ସୀମାରେ ରାସ୍ତା ବନ୍ଦ ହୋଇଛି। ଏଥିପାଇଁ ଦିଲ୍ଲୀରେ ଅଚଳାବସ୍ଥା ଦେଖାଦେଇଛି। ପ୍ରବଳ ଟ୍ରାଫିକ୍ ଜାମ୍ ରହିଛି। ସେହିପରି ପରିବା ଦର ଆକାଶ ଛୁଆଁ ହେବାଦ୍ବାରା ଦିଲ୍ଲୀ ବାସିନ୍ଦାଙ୍କ ସମସ୍ୟା ବଢ଼ିଯାଇଛି। କୃଷକ ଆନ୍ଦୋଳନ ଯୋଗୁଁ ଦିଲ୍ଲୀରେ ପନିପରିବା ଏବଂ ଫଳ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଫଳରେ ପନିପରିବା ଏବଂ ଫଳର ମୂଲ୍ୟ ଆକାଶଛୁଆଁ ହୋଇଛି। ଅନ୍ୟପକ୍ଷେ କୃଷକମାନେ ଦାବି କରିଛନ୍ତି, ଯଦି କୃଷି ଆଇନ ରଦ୍ଦ ନହୁଏ ତେବେ ସେମାଦେ ଦିଲ୍ଲୀରେ ଅଧିକରୁ ଅଧିକ ରାସ୍ତା ବନ୍ଦ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/fjhfsdhsfh5465465465shfhsfhsfh.jpg)