ଚାଷୀ ଆନ୍ଦୋଳନ: କ’ଣ ଥିଲା ସରକାରଙ୍କ ପ୍ରସ୍ତାବରେ

ସଂଶୋଧନ ନୁହେଁ, ଜଟିଳ ଆଇନ ହଟିବା ଜରୁରୀ: ଚାଷୀ ସଂଗଠନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଆନ୍ଦୋଳନରତ ଚାଷୀଙ୍କୁ ଏକ ଲିଖିତ ପ୍ରସ୍ତାବ ଦେଇଥିଲେ। ତେବେ ଏହି ପ୍ରସ୍ତାବ କେବଳ ଉପର ଠାଉରିଆ ଏବଂ ଏହାଦ୍ବାରା ନୂଆ କୃଷି ଆଇନରେ ଥିବା ଜଟିଳତା ଦୂର ହୋଇପାରିବ ନାହିଁ ବୋଲି ଚାଷୀ ନେତାମାନେ ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି। କୃଷି ଯୁଗ୍ମ ସଚିବ ବିବେକ ଅଗ୍ରୱାଲଙ୍କ ମାଧ୍ୟମରେ କୃଷି ଆଇନରେ ସଂଶୋଧନ ନେଇ ସରକାର ଆଜି ଲିଖିତ ପ୍ରସ୍ତାବ ଉପସ୍ଥାପନ କରିଥିଲେ। କୃଷି ଆଇନରେ କେତେକ ସଂଶୋଧନ ଆଣିବାକୁ ସରକାର ରାଜି ଅଛନ୍ତି ଏବଂ ଚାଷୀମାନଙ୍କ ସମସ୍ତ ଦାବି ନେଇ ଖୋଲାମନରେ ବିଚାର କରିବାକୁ ଆଗ୍ରହୀ ବୋଲି ଅଗ୍ରୱାଲ କହିଥିଲେ। ଏମ୍‌ଏସ୍‌ପି ବ୍ୟବସ୍ଥା ପୂର୍ବ ଭଳି ଜାରି ରହିବ ବୋଲି ସରକାର ଲିଖିତ ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି। ସେହିଭଳି ନୂଆ କୃଷି ଆଇନରେ କେତେକ ସଂଶୋଧନ ଆଣିବାକୁ ସରକାର ରାଜି ଅଛନ୍ତି ବୋଲି ଚାଷୀଙ୍କୁ ପ୍ରସ୍ତାବ ଦିଆଯାଇଛି। ମଣ୍ଡି ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯିବା ସହ ସରକାରୀ ମଣ୍ଡି ବାହାରେ କିଣାବିକା ପାଇଁ ଘରୋଇ ବ୍ୟବସାୟୀମାନଙ୍କୁ ପଞ୍ଜୀକରଣ କରାଯିବା ଉପରେ ସରକାର ସଂଶୋଧନ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି।

ନୂଆ କୃଷି ଆଇନ ଯୋଗୁଁ ମଣ୍ଡିଗୁଡ଼ିକ ଦୁର୍ବଳ ହୋଇଯିବ ବୋଲି ଚାଷୀ ଯେଉଁ ଆଶଙ୍କା ପ୍ରକାଶ କରୁଛନ୍ତି ତାହା ଭିତ୍ତିହୀନ ବୋଲି ସରକାର କହିଛନ୍ତି। ମଣ୍ଡି ବାହାରେ କିଣାବିକା କରୁଥିବା ବ୍ୟବସାୟୀଙ୍କ ଉପରେ ରାଜ୍ୟ ସରକାରମାନେ ନିଜ ଇଛା‌ରେ ଟିକସ ଲାଗୁ କରିପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି। ମଣ୍ଡି କିମ୍ବା ଘରୋଇ ବ୍ୟବସାୟୀଙ୍କୁ ନେଇ କୌଣସି ବିବାଦ ଦେଖାଦେଲେ ଚାଷୀ ସେମାନଙ୍କ ବିରୋଧରେ କୋର୍ଟ ଯାଇପାରିବେ ନାହିଁ ବୋଲି ଯେଉଁ ଭ୍ରମ ଧାରଣା ସୃଷ୍ଟି ହୋଇଛି, ସେଥିନେଇ ସରକାର ସ୍ପଷ୍ଟ କରିବାକୁ ଚାହୁଛନ୍ତି। ଏ ନେଇ ଆଇନରେ ସଂଶୋଧନ କରିବାକୁ ସରକାର ରାଜି ଅଛନ୍ତି। ବଡ଼ ବଡ଼ କର୍ପୋରେଟ୍‌ ସଂସ୍ଥାମାନେ ଚାଷୀଙ୍କ ଜମିକୁ ନିଜ କବ୍‌ଜାକୁ ନେଇଯିବେ ବୋଲି ଯେଉଁ ଭୟ ସୃଷ୍ଟି ହୋଇଛି ତାହା ମଧ୍ୟ ଆଧାରହୀନ। ଏ ନେଇ ଆଇନରେ ଖୁବ୍‌ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। କୌଣସି ବ୍ୟବସାୟୀ ବା କର୍ପୋରେଟ୍‌ ସଂସ୍ଥା ଚାଷୀଙ୍କ ଜମି ଉପରେ ଋଣ ନେଇ ପାରିବେ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। କଣ୍ଟ୍ରାକ୍ଟ ଫାର୍ମିଂ ନେଇ ଆଇନରେ ରହିଥିବା କେତେକ ତ୍ରୁଟି ସୁଧାରିବା ସହ ଆଇନ‌ରେ ସଂଶୋଧନ ଆଣିବାକୁ ସରକାର ରାଜି ଅଛନ୍ତି। ସେହିଭଳି ବିଦ୍ୟୁତ ସଂଶୋଧନ ବିଲ୍‌ ୨୦୨୦’କୁ ରଦ୍ଦ କରିବା ଦାବି ବାବଦରେ ସରକାର କହିଛନ୍ତି ଯେ ପୂର୍ବରୁ ଯେଭଳି ବ୍ୟବସ୍ଥା ଥିଲା ତାହା କାଏମ ରହିବ ଏବଂ କୌଣସି ନୂଆ ପରିବର୍ତ୍ତନ ହେବନାହିଁ। ନଡ଼ାକୁଟା ଜାଳିବା ଏବଂ ବାୟୁର ମାନ ପରିଚାଳନା ନେଇ କେନ୍ଦ୍ର ସରକାର ଯେଉଁ ଅଧ୍ୟାଦେଶ ଆଣିଥିଲେ, ଆବଶ୍ୟକ ହେଲେ ସେଥିରେ ମଧ୍ୟ ସଂଶୋଧନ ଅଣାଯିବ ବୋଲି ସରକାର ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧିତ ଖବର