ଚାଷୀ ଆନ୍ଦୋଳନ ବିଶାଳ ଓ ବ୍ୟାପକ ହେବ

ସରକାରଙ୍କ ସହ ସବୁ ସ୍ଥିତିରେ ମୁକାବିଲା କରିବୁ: ଟିକାୟତ

ଗାଜିଆବାଦ : ନୂଆ କୃଷି ଆଇନ ସଂପୂର୍ଣ୍ଣ ଇଚ୍ଛାଧୀନ ଏବଂ ସରକାର ସଂଶୋଧନ ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ବୟାନ ଦେବା ସତ୍ତ୍ବେ ଚାଷୀ ଆନ୍ଦୋଳନ ଥମିବାର ନାମ ନେଉନାହିଁ। ଆନ୍ଦୋଳନକୁ ଅଧିକ ବ୍ୟାପକ ଓ ବିଶାଳ କରିବାକୁ ବିଭିନ୍ନ ଚାଷୀ ସଂଗଠନ ବିଚାରବିମର୍ଶ ଜାରି ରଖିଛନ୍ତି। ଚାଷୀ ଆନ୍ଦୋଳନର ପ୍ରମୁଖ ନେତା ରାକେଶ ଟିକାୟତ କହିଛନ୍ତି ଯେ ସରକାର ଆନ୍ଦୋଳନ ଯୋଗୁଁ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି ଏବଂ ଚାଷୀଙ୍କ ଅସଲ ଦାବିକୁ ଏଡ଼ାଇବାକୁ ପ୍ରୟାସ କରୁଛନ୍ତି। ଆମେ ସରକାରଙ୍କ ସହ ସବୁ ସ୍ଥିତିରେ ମୁକାବିଲା ପାଇଁ ପ୍ରସ୍ତୁତ ରହିଛୁ ବୋଲି ଟିକାୟତ କହିଛନ୍ତି। ଆସନ୍ତା ୧୪ ତାରିଖରେ ହରିୟାଣା, ମହାରାଷ୍ଟ୍ର ଏବଂ ରାଜସ୍ଥାନର ବିଭିନ୍ନ ଅଂଚଳରେ ଚାଷୀ ମହାପଂଚାୟତ ଆରମ୍ଭ ହେବ ଏବଂ ଏଥିରେ ସେ ଯୋଗଦେବେ ବୋଲି ଟିକାୟତ କହିଛନ୍ତି। ଫେବ୍ରୁଆରି ୨୩ ପର୍ଯ୍ୟନ୍ତ ମହାପଂଚାୟତ ଚାଲିବ ଏବଂ ୭ଟି ବିଶାଳ କାର୍ଯ୍ୟକ୍ରମ ହେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ମଣ୍ଡି ବ୍ୟବସ୍ଥା ଦେଶରେ ବନ୍ଦ ହୋଇଯିବ ଏବଂ ଏମ୍‌ଏସ୍‌ପି ବ୍ୟବସ୍ଥା ମଧ୍ୟ ରହିବ ନାହିଁ ବୋଲି ହେଉଥିବା ପ୍ରଚାରକୁ ପ୍ରଧାନମନ୍ତ୍ରୀ ସଂସଦରେ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିବା ସହ ଉଭୟ ବ୍ୟବସ୍ଥା ପୂର୍ବଭଳି କାଏମ ରହିଛି ଏବଂ ଆଗକୁ ମଧ୍ୟ ରହିବ ବୋଲି କହିଥିବାରୁ ଏହାକୁ ନେଇ ଚାଷୀ ସଂଗଠନମାନଙ୍କ ମଧ୍ୟରେ ଫାଟ ଦେଖାଦେଇଛି। ନୂଆ କୃଷି ଆଇନକୁ ନେଇ କାଳ୍ପନିକ ଭୟ ସୃଷ୍ଟି କରାଯାଉଛି ବୋଲି କେତେକ ଚାଷୀ ନେତା ମତ ଦେଇଥିବା ବେଳେ ଜାନୁଆରି ୨୬ ହିଂସା ପରଠାରୁ ଅନେକ ସଂଗଠନ ଆନ୍ଦୋଳନରୁ ଓହରିଥିବା ଦେଖିବାକୁ ମିଳିଛି। ତେବେ ସିଂଘୁ, ଟ୍ରିକ୍ରି ଏବଂ ଗାଜିପୁର ସୀମାରେ ରାକେଶ ଟିକାୟତ ତାଙ୍କ ସାଂଗଠନିକ ଶକ୍ତିକୁ ସୁଦୃଢ଼ କରିବାରେ ସମର୍ଥ ହୋଇଥିବାରୁ ଆନ୍ଦୋଳନ ଦୀର୍ଘକାଳୀନ ହେବ ବୋଲି କୁହାଯାଉଛି । ଆଗାମୀ ୧୮ ତାରିଖ ଦିନ ଦେଶବ୍ୟାପୀ ରୋଳରୋକ ଆନ୍ଦୋଳନ ହେବ ବୋଲି ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର