ବନ୍ଦ ହେବନି ଚାଷୀ ଆନ୍ଦୋଳନ, ନଭେମ୍ବର ୨୭ରେ ଭବିଷ୍ୟତ ନିଷ୍ପତ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ନୂଆ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ ମଧ୍ୟ ଆନ୍ଦୋଳନ ପୂର୍ବଭଳି ଜାରି ରଖିବାକୁ ରବିବାର ଦିନ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ସିଂଘୁ ସୀମାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଏମ୍‌ଏସ୍‌ପି (ସର୍ବନିମ୍ନ ସହାୟକ ମୂଲ୍ୟ) ଏବଂ ଅନ୍ୟ ଦାବି ନେଇ ଆନ୍ଦୋଳନ ଚାଲିବ ଏବଂ ପୂର୍ବ ଘୋଷଣା ମୁତାବକ ସମସ୍ତ ରୢାଲି ଏବଂ ମହାପଂଚାୟତ ଅନୁଷ୍ଠିତ ହେବ ବୋଲି ଏସ୍‌କେଏମ୍‌ କହିଛି। ଆଜି ଆନ୍ଦୋଳନକାରୀ କୃଷକମାନେ ସିଂଘୁ ସୀମାରେ ଏକ ବୈଠକରେ ଏ ବାବଦ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି। ତେବେ ଏହି ବୈଠକରେ ସଂଗଠନର ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଅନ୍ତିମ ନିଷ୍ପତ୍ତି ନିଆଯାଇ ପାରି ନାହିଁ।

ସଂଗଠନ ପକ୍ଷରୁ କୁହାଯାଇଛି ଯେ, କୃଷକ ନେତାମାନଙ୍କର ଆଲୋଚନା ଆଗକୁ ଜାରି ରହିବ। ଆସନ୍ତା ନଭେମ୍ବର ୨୭ରେ ସେମାନେ ପରବର୍ତ୍ତୀ ବୈଠକ କରିବେ। ୟା ଭିତରେ କେନ୍ଦ୍ର କ୍ୟାବିନେଟ୍ କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ଅନୁମୋଦନ ଦେଇପାରନ୍ତି। ସେମାନେ କ୍ୟାବିନେଟ୍ ଅନୁମୋଦନକୁ ଅପେକ୍ଷା କରିବେ। ତା’ ପୂର୍ବରୁ ଆନ୍ଦୋଳନ ବନ୍ଦ କରିବା ନେଇ କିଛି ତରବରିଆ ନିଷ୍ପତ୍ତି ନେବେ ନାହିଁ। ଏସ୍‌କେଏମ୍ କୋର୍ କମିଟି ସଦସ୍ୟ ଦର୍ଶନ ପାଲ କହିଛନ୍ତି, ନଭେମ୍ବର ୨୭ ବୈଠକରେ ସଂଘ ପକ୍ଷରୁ ଏମ୍‌ଏସ୍‌ପି (ସର୍ବନିମ୍ନ ସହାୟକ ମୂଲ୍ୟ) ପ୍ରସଙ୍ଗରେ ଆଲୋଚନା କରାଯିବ। ଯଦିଓ ସେମାନଙ୍କର ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିକୁ ସରକାର ମାନିନେଇଛନ୍ତି, ଏମ୍‌ଏସ୍‌ପି ଦାବି ଉପରେ ଏପର୍ଯ୍ୟନ୍ତ କିଛି ଘୋଷଣା କରାଯାଇ ନାହିଁ। କୃଷକ ନେତା ବଲବୀର ସିଂହ କହିଛନ୍ତି, ନଭେମ୍ବର ୨୨ରେ ମହାପଞ୍ଚାୟତ, ୨୬ରେ ସୀମାରେ ବିରାଟ ସମାବେଶ ଓ ୨୯ରେ ପାର୍ଲାମେଣ୍ଟ ଟ୍ରାକ୍ଟର ରୢାଲି ନେଇ ସଂଘ ପୂର୍ବରୁ ନିଷ୍ପତ୍ତି ନେଇଥିଲା। ପୂର୍ବ ନିଷ୍ପତ୍ତି ଅନୁସାରେ ସବୁ କାର୍ଯ୍ୟକ୍ରମ ଚାଲିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର