ନୂଆଦିଲ୍ଲୀ: ଦିଲ୍ଲୀରେ ଅଦିନିଆ ମେଘ ଏବଂ ପ୍ରବଳ ଶୀତ ପଡ଼ିଥିବା ବେଳେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଗାଜିଆବାଦ ସୀମାନ୍ତରେ ଥିବା ପ୍ରତିବାଦକାରୀମାନଙ୍କ ନିଆଁପୁଆଁ ଲାଗି ଦିଲ୍ଲୀ ଆଖପାଖ ଅଞ୍ଚଳର କୃଷକମାନେ ଟ୍ରକ୍ ଟ୍ରକ୍ କାଠ ପଠାଇଛନ୍ତି।
ଦିଲ୍ଲୀ-ଗାଜିଆବାଦ ସୀମାନ୍ତ ଗାଜିପୁର ଠାରେ ଡେରା ପକାଇଥିବା ପ୍ରତିବାଦକାରୀ କୃଷକମାନଙ୍କ ନିମନ୍ତେ ମିରଟ, ମୁଜାଫରନଗର, ଗୌତମବୁଦ୍ଧ ନଗର, ବାଗପତ ଏବଂ ସନ୍ନିକଟ ପଶ୍ଚିମ ଉତ୍ତର ପ୍ରଦେଶ ଅଞ୍ଚଳରୁ କାଠ ବୋଝେଇ ଟ୍ରକ୍ମାନ ଆସି ପହଞ୍ଚିଛି।
ରଣବୀର ତେଓ୍ଵାତିଆ ନାମକ ମିରଟର ଜଣେ କୃଷକ କହିଛନ୍ତି, ଆମ ଘରେ ପ୍ରଚୁର କାଠ ଥିବାବେଳେ ଆମ ଭାଇମାନେ ଦିଲ୍ଲୀରେ ବର୍ଷା ଓ ଶୀତରେ ଥରୁଛନ୍ତି। ତେଣୁ ଆମେ ସେମାନଙ୍କ ଲାଗି କାଠ ଯୋଗାଇ ଦେବୁ। ଆମେ ପ୍ରାୟ ୪ ଟ୍ରାକ୍ଟର୍ କାଠ ପଠାଇ ସାରିଛୁ।
Image Courtesy of Hindustan Timesଦିଲ୍ଲୀରେ ବର୍ଷା ଯୋଗୁଁ ଅସ୍ଥାୟୀ ଶିବିରରେ ରୋଷେଇବାସ ପାଇଁ ପ୍ରତିବାଦକାରୀ କୃଷକମାନେ ଗଚ୍ଛିତ ରଖିଥିବା କାଠ ଓଦା ହୋଇଯାଇଛି।
ଗାଜିପୁରରେ ପ୍ରତିବାଦ ଚଳାଇଥିବା ସତେନ୍ଦର ତୋମାର ନାମକ ଜଣେ କୃଷକ କହନ୍ତି, ଶୀତରାତିରୁ ତ୍ରାହି ପାଇବାକୁ ଆମେ ନିଆଁ ଜାଳୁଛୁ। ଅପ୍ରତ୍ୟାଶିତ ଭାବେ ବର୍ଷା ହେବାରୁ ଆମର ଅଧାଅଧି ଜାଳେଣି କାଠ ଓଦା ହୋଇଯାଇଥିଲା। କିନ୍ତୁ, ଆଖପାଖ ଅଞ୍ଚଳର କୃଷକମାନେ କାଠ ଯୋଗାଇ ଦେବାରୁ ଆମେ ନିଆଁ ପୋଉଁଛୁ।
ପ୍ରାପ୍ତ ସଦ୍ୟତମ ସୂଚନା ଅନୁସାରେ, କୃଷକମାନେ ପ୍ରତିବାଦ ଚଳାଇଥିବା କାରଣରୁ ଆଜି ମଧ୍ୟ ହରିୟାଣା ଓ ଉତ୍ତର ପ୍ରଦେଶକୁ ଦିଲ୍ଲୀ ସହ ସଂଯୋଗ କରୁଥିବା ରାସ୍ତାମାନଙ୍କରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/firewood.jpg)