ଆନ୍ଦୋଳନରତ ଚାଷୀଙ୍କ ଘୋଷଣା : ଦାବି ନ ମାନିଲେ ହଟିବୁନି, ସରକାରଙ୍କ ସହ ଆଲୋଚନା ଆଜି

ଶାହଜାହାନପୁର ସୀମାରେ ଲାଠିମାଡ଼

ନୂଆଦିଲ୍ଲୀ : ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା ଚାଷୀମାନେ ଆଜି ସେମାନଙ୍କ ଆଭିମୁଖ୍ୟ ଆହୁରି କଠୋର କରିଛନ୍ତି। ପ୍ରବଳ ଥଣ୍ଡା ଓ ବର୍ଷା ଭିତରେ ଆନ୍ଦୋଳନ ଜାରି ରଖିଥିବା ଚାଷୀମାନେ କହିଛନ୍ତି ଯେ ସେମାନେ ଏଭଳି ସମସ୍ତ ପ୍ରକୋପ ସହିବେ, କିନ୍ତୁ ନୂଆ କୃଷି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନସ୍ଥଳରୁ ହଟିବେ ନାହିଁ। ସିଂଘୁ ସୀମା ଏବଂ ଗାଜିପୁର ସୀମାରେ ହଜାର ହଜାର ଚାଷୀ ଅତ୍ୟନ୍ତ ପ୍ରତିକୂଳ ଅବସ୍ଥାରେ ଆନ୍ଦୋଳନ ଜାରି ରଖିଥିବା ଦେଖିବାକୁ ମିଳିଛି। ଗତରାତିରୁ ବର୍ଷା ଆରମ୍ଭ ହୋଇଯିବା ପରେ ଆନ୍ଦୋଳନକାରୀମାନେ ଆହୁରି ଜଟିଳ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପକ୍ଷରେ ଆଜି ଅଲୱରରେ ଶାହଜାହନପୁର ସୀମାରେ ଚାଷୀମାନେ ପୁଲିସର ବ୍ୟାରିକେଡ୍‌ ଭାଙ୍ଗି ବଳପୂର୍ବକ ପଶିବା ସମୟରେ ‌ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠିମାଡ଼ କରିବା ସହ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଛି।

ଚାଷୀ ନେତାମାନେ କହିଛନ୍ତି, ନୂଆ କୃଷି ଆଇନ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେବ ଏବଂ ଚାଷ ସ୍ଥିତିକୁ ତଳିତଳାନ୍ତ କରିଦେବ। ଏଭଳି ସ୍ଥିତିରେ କର ବା ମର ଲଢ଼େଇ ପାଇଁ ଆମେ ପ୍ରସ୍ତୁତ ରହିଛୁ ବୋଲି ସେମାନେ କହିଛନ୍ତି। ଆସନ୍ତାକାଲି ଏହି ପ୍ରସଙ୍ଗରେ ସରକାର ଏବଂ ଚାଷୀ ନେତାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ଉପରେ ସମଗ୍ର ଦେଶର ନଜର ରହିଛି ଏବଂ ଏଥିରେ କୌଣସି ସହମତିର ରାସ୍ତା ବାହାରିବ ବୋଲି ଆଶା କରାଯାଉଛି। ତେବେ ଚାଷୀମାନେ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଥିବାରୁ ଅଚଳାବସ୍ଥାର ଅବସାନ ଶୀଘ୍ର ଘଟିବ ନାହିଁ ବୋଲି ମଧ୍ୟ ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର