ସେପ୍ଟେମ୍ବର ୨୫ରେ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଂଗଠନ

ଖଟ୍ଟରଙ୍କ ଉଚ୍ଚସ୍ତରୀୟ ବୈଠକ, ଲାଠିମାଡ଼ରେ ଜଣେ ଚାଷୀ ମୃତ

ନୂଆଦିଲ୍ଲୀ : ହରିୟାଣାର କର୍ଣ୍ଣଲଠାରେ ଗତକାଲି ଆନ୍ଦୋଳନରତ ଚାଷୀମାନଙ୍କ ଉପରେ ହୋଇଥିବା ଲାଠିମାଡ଼ ପରେ ଚାଷୀମାନେ ସେମାନଙ୍କ ଆଭିମୁଖ୍ୟ କଠୋର କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୫ରେ ସେମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଦିଲ୍ଲୀ ସୀମାରେ ଆନ୍ଦୋଳନକୁ ୧୦ ମାସ ପୂରିବା ପରିପ୍ରେକ୍ଷୀରେ ଚାଷୀ ସଂଗଠନ ପକ୍ଷରୁ ଏଭଳି ଡାକରା ଆଜି ଦିଆଯାଇଛି। ରବିବାର ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯିବା ପରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ଉଚ୍ଚସ୍ତରୀୟ ବୈଠକ ଚଣ୍ଡୀଗଡ଼ଠାରେ କରିଛନ୍ତି। ସମାଧାନ ପନ୍ଥା ବାହାର କରିବା ପାଇଁ ବୈଠକରେ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ଗତକାଲିର ଲାଠିମାଡ଼ରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଚାଷୀ ଆନ୍ଦୋଳନରେ ସାମିଲ ଥିବା ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ କହିଛନ୍ତି, ଲାଠିମାଡ଼ରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ନାମ ସୁଶୀଲ କାଜଲ ଏବଂ ରାମପୁର ଯାତନ ଗ୍ରାମରେ ତାଙ୍କର ଘର।

ଅନ୍ୟପକ୍ଷରେ ଆହତ ଚାଷୀଙ୍କୁ କର୍ଣ୍ଣଲସ୍ଥିତ କଳ୍ପନା ଚାୱଲା ସରକାରୀ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ୪ ଜଣ ଚାଷୀଙ୍କୁ ସଂଯୁକ୍ତ କିଷାନ ମୋର୍ଚ୍ଚା ମୁଖ୍ୟ ରାକେଶ ଟିକାୟତ ରବିବାର ଭେଟିଛନ୍ତି। ଲାଠିମାଡ଼ ନିର୍ଦ୍ଦେଶ ଦେଇଥିବା କର୍ଣ୍ଣଲ ଏସଡିଏମ୍‌ ଆୟୁଷ ସିହ୍ନା ଏବଂ ସଂପୃକ୍ତ ଅନ୍ୟ ପୁଲିସଙ୍କ ବିରୋଧରେ ମାମଲା ରୁଜୁ ପାଇଁ ସେ ଦାବି କରିଛନ୍ତି। ଆନ୍ଦୋଳନକାରୀ ବାରିକେଡ୍‌ ନିକଟକୁ ଆସିଲେ ସେମାନଙ୍କ ମୁଣ୍ଡ ଫଟାଇ ଦେବା ପାଇଁ ଏସଡିଏମ୍‌ ପୁଲିସକୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଗତକାଲି ବିଜେପି ରାଜ୍ୟଶାଖାର ବୈଠକ ଏକ ହୋଟେଲରେ ହୋଇଥିଲା। ସେହି ହୋଟେଲ ନିକଟରେ ଜାତୀୟ ରାଜପଥ-୪୪ର ବସ୍ତର ଟୋଲ୍‌ ପ୍ଲାଜା ପାଖରେ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପୁଲିସ ସେମାନଙ୍କ ଉପରେ ଲାଠିମାଡ଼ କରିଥିଲା।

ସମ୍ବନ୍ଧିତ ଖବର