କୃଷକ ସଂଗଠନ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ: ପୂରା ଦିଲ୍ଲୀର ତଣ୍ଟି ଚିପି ଦେଇଛ

ନାଗରିକଙ୍କ ଅଧିକାର କ୍ଷୁଣ୍ଣ ହୋଇଛି, ଅଦାଲତ ଉପରେ ବିଶ୍ବାସ ଥିଲେ ଶୁଣାଣି ପାଇଁ ସହଯୋଗ କର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଗତ ପ୍ରାୟ ୧୦ ମାସ ହେଲା ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନଗୁଡ଼ିକ ଉପରେ ସୁପ୍ରିମ କୋର୍ଟ ଶୁକ୍ରବାର ଭୀଷଣ ବିରକ୍ତ ହୋଇଛନ୍ତି। ସେମାନେ ପୂରା ସହରର ତଣ୍ଟିକୁ ଚିପି ଦେଇଛନ୍ତି ଏବଂ ରାଜପଥକୁ ବନ୍ଦ କରିଛନ୍ତି ବୋଲି ସର୍ବୋଚ୍ଚ ଅଦାଲତ ଟିପ୍ପଣୀ ଦେଇଛନ୍ତି।

କୃଷକ ସଂଗଠନ ‘କିଷାନ ମହାପଞ୍ଚାୟତ’ ଦିଲ୍ଲୀର ଯନ୍ତରମନ୍ତର ଠାରେ ସତ୍ୟାଗ୍ରହ ପାଇଁ ଅନୁମତି ନେବାକୁ ଚାହୁଁଛି। ଅତିକମ୍‌ରେ ୨୦୦ କୃଷକ ବା ଆନ୍ଦୋଳନକାରୀଙ୍କୁ ଶାନ୍ତିପୂର୍ଣ୍ଣ ଏବଂ ଅହିଂସା ସତ୍ୟାଗ୍ରହ ପାଇଁ ଅନୁମତି ଦେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାଲାଗି ଏହି ସଂଗଠନ ସୁପ୍ରିମ କୋର୍ଟରେ ଆବେଦନ କରିଛି। ଏହି ମାମଲାର ଶୁଣାଣି ବେଳେ ଅଦାଲତ କହିଛନ୍ତି ଆପଣମାନେ ସମଗ୍ର ସହରକୁ ଚାରିପଟୁ ଅଣନିଶ୍ବାସୀ କରି ରଖିଛନ୍ତି। ବର୍ତ୍ତମାନ ସହର ଭିତରକୁ ପ୍ରବେଶ କରିବା ଲାଗି ଚାହୁଁଛ। ଏଭଳି ଆନ୍ଦୋଳନରେ ପାଖ ପଡ଼ୋଶୀ ଖୁସି ଅଛନ୍ତି ତ? ଏ ପ୍ରକାର କାମ ବନ୍ଦ ହେବା ଆବଶ୍ୟକ ବୋଲି ବିଚାରପତି ଏ ଏମ୍‌ ଖାନୱିଲକର ଏବଂ ବିଚାରପତି ସି ଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।

ଅଦାଲତ ଏହା ମଧ୍ୟ କହିଛନ୍ତି ଯେ କୃଷି ଆଇନ ବିରୋଧରେ ସଂଗଠନଗୁଡ଼ିକ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି। ଯେଉଁମାନେ ଅଦାଲତରେ ଆବେଦନ କରିଛନ୍ତି ସେମାନଙ୍କର ନ୍ୟାୟିକ ବ୍ୟବସ୍ଥା ଉପରେ ଆସ୍ଥା ରହିବା ଉଚିତ୍‌। ଯଦି ଆପଣମାନଙ୍କର ଅଦାଲତ ଉପରେ ବିଶ୍ବାସ ରହିଛି ତା’ହେଲେ ଆନ୍ଦୋଳନ ପରିବର୍ତ୍ତେ ଏହି ମାମଲାର ଶୁଣାଣି କିଭଳି ଶୀଘ୍ର ହେବ ସେଥିପାଇଁ କାମ କରନ୍ତୁ। ଆପଣମାନେ ନ୍ୟାୟିକ ବ୍ୟବସ୍ଥା ବିରୋଧରେ ଆନ୍ଦୋଳନ କରୁଛନ୍ତି କି ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି।

ଆନ୍ଦୋଳନକାରୀ ରାଜପଥ ଅବରୋଧ କରିଛନ୍ତି, କିନ୍ତୁ କହୁଛନ୍ତି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଚାଲିଛି। ଏହା କିଭଳି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବୋଲି ପ୍ରଶ୍ନ କରି ଖଣ୍ଡପୀଠ କହିଛନ୍ତି ଯେ ନାଗରିକମାନଙ୍କର ମଧ୍ୟ ସେହି ଅଞ୍ଚଳରେ ଯିବା ଆସିବା କରିବାର ଅଧିକାର ରହିଛି। ନାଗରିକମାନଙ୍କ ସଂପତ୍ତିର କ୍ଷତି ହେଉଛି। ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ଦେଖାଦେଇଛି। ପ୍ରତିରକ୍ଷା ବିଭାଗର କର୍ମଚାରୀମାନଙ୍କୁ ମଧ୍ୟ ଅଟକାଯାଉଛି ବୋଲି ବିଚାରପତି ଖାନୱିଲକର କହିଛନ୍ତି।

ତେବେ କୃଷକ ସଂଗଠନ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ କହିଥିଲେ ଆମେ ରାସ୍ତା ଅବରୋଧ କରିନାହୁଁ। ପୁଲିସ ଆମକୁ ସେଠାରେ ଅଟକ ରଖିଛି। ଏହାପରେ ଖଣ୍ଡପୀଠ କହିଥିଲେ ଜାତୀୟ ରାଜପଥ ଅବରୋଧ କରୁଥିବା ଆନ୍ଦୋଳନକାରୀଙ୍କ ମଧ୍ୟରେ ଆପଣ ନାହାନ୍ତି ବୋଲି ସତ୍ୟପାଠ ଦାଖଲ କରନ୍ତୁ।

ସମ୍ବନ୍ଧିତ ଖବର