ଦ୍ବାଦଶ ଦିନରେ କୃଷକ ଆନ୍ଦୋଳନ : ଭାରତ ବନ୍ଦକୁ ବିଭିନ୍ନ ଦଳର ସମର୍ଥନ

କୃଷି ଆଇନ ପ୍ରତ୍ୟାହାର ଦାବି କଲେ ଶରଦ ପାୱାର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକ ଆନ୍ଦୋଳନ ଆଜି ୧୧ ଦିନରେ ପହଞ୍ଚିଛି। ନୂଆ କୃଷି ଆଇନରେ କେତେକ ପରିବର୍ତ୍ତନ ଆଣିବାକୁ କେନ୍ଦ୍ର ସମ୍ମତି ପ୍ରକାଶ କରିଥିବା ବେଳେ ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଜିଦ୍‌ରେ କୃଷକ ସଂଗଠନ ଅଟଳ ରହିଛନ୍ତି। କୃଷି ଆଇନକୁ ବିରୋଧ କରି ଆସନ୍ତା ଡିସେମ୍ବର ୮ରେ କୃଷକ ସଂଗଠନମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହି ଭାରତ ବନ୍ଦକୁ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଘୋଷଣା କରିଛନ୍ତି। କଂଗ୍ରେସ ସମସ୍ତ ରାଜ୍ୟ ଏବଂ ଜିଲ୍ଲା ସଦର ମହକୁମାମାନଙ୍କରେ କୃଷକ ସଂଗଠନମାନଙ୍କ ଦ୍ବାରା ଡାକରା ଦିଆଯାଇଥିବା ଭାରତ ବନ୍ଦକୁ ସମର୍ଥନ କରିବ ବୋଲି ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଘୋଷଣା କରିଛନ୍ତି। କଂଗ୍ରେସ କୃଷି ଆଇନକୁ ବିରୋଧ କରେ ଏବଂ କୃଷକ ଆନ୍ଦୋଳନକୁ ସମର୍ଥନ କରେ ବୋଲି ରାହୁଲ ଟ୍ବିଟ୍‌ କରିଛନ୍ତି। ସେହିଭଳି ଆମ୍‌ ଆଦ୍‌ମି ପାର୍ଟି ମଧ୍ୟ କୃଷକମାନଙ୍କ ଭାରତ ବନ୍ଦକୁ ସମର୍ଥନ କରିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଘୋଷଣା କରିଛନ୍ତି।

ଭାରତ ବନ୍ଦକୁ ଟିଆର୍‌ଏସ୍‌ ଆଜି ନିଜର ସମର୍ଥନ ଘୋଷଣା କରିଛି। କୃଷକମାନଙ୍କ ଭାରତ ବନ୍ଦକୁ ଟିଆର୍‌ଏସ୍‌ ସମର୍ଥନ କରିବ ବୋଲି ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ତଥା ଟିଆର୍‌ଏସ୍‌ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ ଆଜି ପ୍ରକାଶ କରିଛନ୍ତି। ତେଲେଙ୍ଗାନାରେ ଭାରତ ବନ୍ଦକୁ ସଫଳ କରିବାକୁ ରାଓ ନିଜ ଦଳର କର୍ମକର୍ତ୍ତାମାନଙ୍କୁ ନି‌ର୍ଦ୍ଦେଶ ଦେଇଛନ୍ତି। ସେହିଭଳି ରାଷ୍ଟ୍ରୀୟ ଜନତା ଦଳ, ବାମଦଳ, ତୃଣମୂଳ କଂଗ୍ରେସ, ରାଷ୍ଟ୍ରୀୟ‌ ଲୋକଦଳ ଏବଂ କମଲ୍‌ ହାସନଙ୍କ ଦଳ ‘ମକ୍କଲ ନିଧି ମାୟମ’ ଭାରତ ବନ୍ଦକୁ ସମର୍ଥନ କରିଛି। ପଶ୍ଚିମବଙ୍ଗରେ ଭାରତ ବନ୍ଦକୁ ସଫଳ କରାଇବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ବାନ ଜଣାଇଛନ୍ତି। କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହର କରିବାକୁ ଏନ୍‌ସିପି ମୁଖ୍ୟ ତଥା ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ଶରଦ ପାୱାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ଡିସେମ୍ବର ୮ ଭାରତ ବନ୍ଦକୁ ଏନ୍‌ସିପି ସମର୍ଥନ କରିବ ବୋଲି ପାୱାର କହିଛନ୍ତି। କୃଷକ ଆନ୍ଦୋଳନ ନେଇ ଡିସେମ୍ବର ୯ରେ ପାୱାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ବୋଲି ଏନ୍‌ସିପି ସୂତ୍ରରୁ ପ୍ରକାଶ କରାଯାଇଛି।

କର୍ଣ୍ଣାଟକର କୃଷକ ସଂଗଠନମାନେ ଡିସେମ୍ବର ୮ ଭାରତ ବନ୍ଦରେ ସାମିଲ ହେବେ ବୋଲି ‘କର୍ଣ୍ଣାଟକ ରାଜ୍ୟ ରୟତ ସଂଘ’ ଆଜି ଘୋଷଣା କରିଛି। ତେବେ ଖୁବ୍‌ ଶୀଘ୍ର କୃଷକ ଆନ୍ଦୋଳନର ସମାଧାନର ପନ୍ଥା ବାହାରିଯିବ ବୋଲି ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶାହାନ୍‌ୱାଜ ହୁସେନ୍‌ ପ୍ରକାଶ କରିଛନ୍ତି। କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କ ଦ୍ବାରା ପ୍ରଭାବିତ ହୋଇ କୃଷକମାନେ ଏଭଳି ଆନ୍ଦୋଳନ ପନ୍ଥା ଆପଣେଇଛନ୍ତି ଏବଂ ଆଇନ ସମ୍ପର୍କରେ ବୁଝିଲା ପରେ କୃଷକମାନେ ଆନ୍ଦୋଳନରୁ ହଟିଯିବେ ବୋଲି ହୁସେନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର