ପଞ୍ଚମ ଦିନରେ ଚାଷୀ ଆନ୍ଦୋଳନ, ଦାବି ପୂରଣ ନ ହେବା ଯାଏ ହଟିବୁନି

ଆଜି ବୈଠକ ଡାକିଲେ ସରକାର, କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ତେବେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଯାଏ ଆନ୍ଦୋଳନ ଜାରି ରହିବ ବୋଲି ‘ଭାରତୀ କିଷାନ୍‌ ସଂଘ ଏକତା’ (ଡାକୌଣ୍ଡା)ର ସାଧାରଣ ସମ୍ପାଦକ ଜଗମୋହନ ସିଂହ ଚେତାବନୀ ଦେଇଛନ୍ତି। ଆଗାମୀ ଡିସେମ୍ବର ୩ରେ ଚାଷୀମାନଙ୍କ ସହ ଆଲୋଚନା ପାଇଁ କେନ୍ଦ୍ର ସରକାର ଦେଇଥିବା ଆଲୋଚନା ପ୍ରସ୍ତାବକୁ କୃଷକ ସଂଗଠନମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। କୌଣସି ସର୍ତ୍ତ ରଖି ସରକାରଙ୍କ ସହ ଆଲୋଚନା ସମ୍ଭବ ନୁହେଁ ବୋଲି ଚାଷୀ ନେତା ଶ୍ରୀ ସିଂହ କହିଛନ୍ତି। ତେବେ ଚାଷୀଙ୍କ ଆନ୍ଦୋଳନ ଚାପରେ ଆଜି ସରକାର ଡିସେମ୍ବର ୧ ତାରିଖରେ ବୈଠକ ଡାକିଛନ୍ତି। ପୂର୍ବରୁ ୩ ତାରିଖରେ ହେବାକୁ ଥିବା ବୈଠକକୁ ୧ ତାରିଖରେ କରାଯିବ। ଅପରାହ୍ଣ ୩ଟା ବେଳେ ବିଜ୍ଞାନ ଭବନରେ ଏହି ବୈଠକ ହେବ ବୋଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। ତେବେ ଏହା ଉପରେ କୃଷକଙ୍କ ପ୍ରତିକ୍ରିୟା ଜଣାପଡ଼ିନାହିଁ। ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ସରକାର ୩୧ଟି ମାମଲା ରୁଜୁ କରିସାରିଲେଣି ବୋଲି ଚାଷୀ ନେତା ଗୁର୍‌ନାମ ସିଂହ ଚନ୍ଦୋନୀ କହିଛନ୍ତି। ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର କଲେ ଯାଇ ଚାଷୀଙ୍କ ଦାବି ପୂରଣ ହୋଇ ପାରିବ ବୋଲି ସେ କହିଛନ୍ତି।

ଆନ୍ଦୋଳନ‌ ବେଳେ ୨ ଚାଷୀ ମୃତ
ଚାଷୀଙ୍କୁ ସହଯୋଗ କରିବାକୁ କେଜ୍ରିୱାଲ୍‌, ରାହୁଲ ଗାନ୍ଧିଙ୍କ ଆହ୍ବାନ

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ଚାଷୀ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଏହା ଶାହଙ୍କ ଦ୍ବିତୀୟ ଆଲୋଚନା। ଗତକାଲି ରାତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ବାସଭବନରେ ଗୃହମନ୍ତ୍ରୀ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କୃଷିମନ୍ତ୍ରୀ ତୋମାର ଆଲୋଚନା‌ କରିଥିଲେ। ସୂଚନାଯୋଗ୍ୟ, ଦିଲ୍ଲୀକୁ ସଂଯୋଗ କରୁଥିବା ପ୍ରମୁଖ ୫ଟି ପ୍ରବେଶ ପଥକୁ ବନ୍ଦ କରିଦେବାକୁ ଗତକାଲି ଚାଷୀନେତା ଚେତାବନୀ ଦେବା ପରେ ସରକାରଙ୍କ ମୁଣ୍ଡ ବିନ୍ଧା ବଢ଼ିଯାଇଛି। ସେହିଭଳି ଆନ୍ଦୋଳନ ଚାଲିଥିବାବେଳେ ଗତକାଲି ରାତିରେ ଗଜ୍ଜନ ସିଂହ ନାମକ ଜଣେ ଚା‌ଷୀଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀଙ୍କ ଘର ଲୁଧିଆନା ଜିଲ୍ଲାରେ । ଏହା ପୂର୍ବରୁ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିଲା। ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ସୁରକ୍ଷା ବ୍ୟବସ୍ଥା‌ କଡ଼ାକଡ଼ି କରିଛି। ଦିଲ୍ଲୀ ପୁଲିସ ବିଭିନ୍ନ ସ୍ଥାନରେ କଂକ୍ରିଟ୍‌ ପାଚେରି ନିର୍ମାଣ କରିଛି। ହରିୟାଣାର ‘ଖାପ୍‌’ ସମ୍ପ୍ରଦାୟ ଚାଷୀ ଆନ୍ଦୋଳନକୁ ସମର୍ଥନ ଘୋଷଣା କରିଛି। ନୂଆ କୃଷି ଆଇନ୍‌ ଚାଷୀ ବିରୋଧୀ ଏବଂ ସରକାର ଏହାକୁ ପ୍ରତ୍ୟାହାର କରିବାକୁ ପୁନର୍ବିଚାର କରିବାକୁ ‘ଖାପ୍‌’ ନେତା ସମ୍ବିର ସଙ୍ଗୱାନ କହିଛନ୍ତି। ସେହିଭଳି ସାହିନ୍‌ବାଗରୁ ମହିଳାମାନେ ଆସି ଚାଷୀ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ଆନ୍ଦୋଳନ ସ୍ଥଳ ବୁରାଡ଼ି ପରିବର୍ତ୍ତେ ଯନ୍ତରମନ୍ତରକୁ ସ୍ଥାନାନ୍ତର କରାଯାଉ ବୋଲି ଭାରତୀୟ କିଷାନ ସଂଘ ସଭାପତି ସୁର୍‌ଜିତ ଫୁଲ୍‌ ନିଜ ଦାବିରେ ଅଟଳ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ଚାଷୀଙ୍କୁ ସହାୟତା କରିବାକୁ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗେଇ ଦେବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଦଳୀୟ କର୍ମୀମାନଙ୍କୁ କହିଛନ୍ତି।

ଏନ୍‌ଡିଏ ଛାଡ଼ିବାକୁ ଆର୍‌ଏଲ୍‌ପିର ଚେତାବନୀ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆର୍‌ଏଲ୍‌ପି) ଏନ୍‌ଡିଏ ଛାଡ଼ିବାକୁ ଚେତାବନୀ ଦେଇଛି। ନୂଆ କୃଷି ଆଇନ ଚାଷୀ ବିରୋଧୀ ଏବଂ କେନ୍ଦ୍ର ସରକାର ଏହି ଆଇନକୁ ତୁରନ୍ତ ପ୍ରତ୍ୟାହାର ନ କଲେ ଦଳ ଏନ୍‌ଡିଏ ସହ ସମ୍ପର୍କ ଛିନ୍ନ କରିବ ବୋଲି ଆର୍‌ଏଲ୍‌ପି ମୁଖ୍ୟ ହନୁମାନ ବେନିୱାଲ୍‌ ଆଜି କହିଛନ୍ତି। ଚାଷୀଙ୍କ ପାଇଁ ଅହିତକର ୩ଟି କୃଷି ଆଇନକୁ ତୁରନ୍ତ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଉ ବୋଲି ବେନିୱାଲ୍‌ ଦାବି କରିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ଦେଶତମାମ ଚାଷୀମାନେ ବିରୋଧ ଜାରି ରଖିଛନ୍ତି। ଦିଲ୍ଲୀରେ ଚାଷୀ ଆନ୍ଦୋଳନ ତୀବ୍ରତର ହୋଇଛି। ସୂଚନାଯୋଗ୍ୟ, ରାଜସ୍ଥାନ ଭିତ୍ତିକ ଆର୍‌ଏଲ୍‌ପିର ଜଣେ ସାଂସଦ ଅଛନ୍ତି।

ସମ୍ବନ୍ଧିତ ଖବର