ଯନ୍ତରମନ୍ତରରେ ‘କିସାନ ସଂସଦ’ କୃଷକମାନେ ଅନ୍ନଦାତା, ଗୁଣ୍ଡା ନୁହନ୍ତି: ଟିକାୟତ

ଆନ୍ଦୋଳନ ଛାଡ଼ି ଚାଷୀ ନେତା ଆଲୋଚନାକୁ ଆସନ୍ତୁ: ତୋମର

ନୂଆଦିଲ୍ଲୀ: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆଜିଠାରୁ ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସଂସଦର ମୌସୁମୀ ଅଧିବେଶନ ସରିବା ପର୍ଯ୍ୟନ୍ତ ଯନ୍ତର ମନ୍ତରରେ ‘କିସାନ ସଂସଦ’ ଚାଲିବ ବୋଲି ଚାଷୀ ନେତା ରାକେଶ ଟିକାୟତ ଘୋଷଣା କରିଛନ୍ତି। ଚାଷୀମାନେ ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଧାରଣାରେ ବସିବେ । ୩ କୃଷି ଆଇନକୁ ବି‌ରୋଧ କରି ଆନ୍ଦୋଳନ ଜାରି ରଖିଥିବା ଚାଷୀମାନେ ଆଜି ଏକ ଶୋଭାଯାତ୍ରାରେ ଆସି ଯନ୍ତର ମନ୍ତରରେ ପହଞ୍ଚିଥିଲେ। ପ୍ରତିଦିନ ୨୦୦ କୃଷକ ଆନ୍ଦୋଳନରେ ଯୋଗ ଦେବେ। ଏଥିପାଇଁ କେନ୍ଦ୍ରୀୟ ଦିଲ୍ଳୀ ସମେତ ଯନ୍ତର ମନ୍ତର ନିକଟସ୍ଥ ରଂଜିତ ସିଂହ ଫ୍ଲାଏଓଭର ନିକଟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଚାଷୀ ସଂଗଠନ ନେତା ହନ୍ନନ୍‌ ମୋଲ୍ଲା କହିଛନ୍ତି, ଆମ ଦାବି ସଂକ୍ରାନ୍ତରେ ସମସ୍ତ ସାଂସଦଙ୍କୁ ଚିଠି ଲେଖିଛୁ। କିନ୍ତୁ ଆମ ଦାବି ପ୍ରତି ଆଦୌ ଗୁରୁତ୍ବ ଦିଆଯାଇନାହିଁ।

ଅନ୍ୟପକ୍ଷରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଆଜି ଚାଷୀ ନେତାମାନଙ୍କୁ କହିଛନ୍ତି ଯେ ସେମାନେ ଆନ୍ଦୋଳନ ଛାଡ଼ି ଆଲୋଚନା ପାଇଁ ଆସନ୍ତୁ। ତୋମର କହିଛନ୍ତି, ଦେଶବ୍ୟାପୀ କୃଷକମାନେ ନୂଆ କୃଷି ଆଇନକୁ ସମର୍ଥନ କରିଛନ୍ତି। ତେଣୁ ଆନ୍ଦୋଳନରତ ଚାଷୀମାନେ କଥାବାର୍ତ୍ତା ଆରମ୍ଭ କଲେ ହିଁ ସମାଧାନର ରାସ୍ତା ଫିଟିବ ବୋଲି ସେ କହିଛନ୍ତି। ସରକାର କଥା ହେବାପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ଚାଷୀ ନେତାମାନେ ଯୁକ୍ତିଯୁକ୍ତ ପ୍ରସ୍ତାବ ସହ ଆସିଲେ ଆମେ ସ୍ବାଗତ କରିବୁ ବୋଲି ତୋମର କହିଛନ୍ତି। ତୋମର ମଧ୍ୟ ଗତକାଲି ଲୋକସଭା‌ରେ ସରକାର ଆନ୍ଦୋଳନରତ କୃଷକଙ୍କ ସହ କଥାହେବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ। ତେବେ ଚାଷୀ ସଂଗଠନଗୁଡ଼ିକ ନୂଆ କୃଷି ଆଇନ ଉଚ୍ଛେଦ ଦାବିରେ ଅଟଳ ରହିଛନ୍ତି ଏବଂ ଏ ନେଇ କୌଣସି ସାଲିସ୍‌ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ସାମ୍ବାଦିକଙ୍କୁ ଆକ୍ରମଣକାରୀ କୃଷକ ନୁହନ୍ତି, ସେମାନେ ଗୁଣ୍ଡା: ମୀନାକ୍ଷୀ ଲେଖି

ନୂଆଦିଲ୍ଲୀ: ନବନିଯୁକ୍ତ କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖି ଆନ୍ଦୋଳନରତ କୃଷକଙ୍କୁ ଗୁଣ୍ଡା କହିଛନ୍ତି। ଯନ୍ତର ମନ୍ତରରେ କୃଷକ ଆନ୍ଦୋଳନ ତଥା ‘କିସାନ ସଂସଦ’ ସମୟରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି, ଆକ୍ରମଣକାରୀମାନେ କୃଷକ ନୁହନ୍ତି,ସେମାନେ ଗୁଣ୍ଡା। ସେମାନେ ଯେଉଁଭଳି କାର୍ଯ୍ୟ କରୁଛନ୍ତି ତାହା ଅପରାଧ। ଗତ ଜାନୁଆରି ୨୬ରେ ଯାହା ଘଟିଥିଲା ତାହା ମଧ୍ୟ ଲଜ୍ଜାଜନକ ଅପରାଧିକ କାର୍ଯ୍ୟକଳାପ ବୋଲି ମୀନାକ୍ଷୀ କହିଛନ୍ତି । ସୂଚନାଯୋଗ୍ୟ, ଆଜି ଜଣେ ସାମ୍ବାଦିକଙ୍କୁ ଯନ୍ତରମନ୍ତର ଆନ୍ଦୋଳନସ୍ଥଳରେ ଆକ୍ରମଣ ହୋଇଥିଲା ଏବଂ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ।

କୃଷକମାନେ ଅନ୍ନଦାତା, ଗୁଣ୍ଡା ନୁହନ୍ତି: ଟିକାୟତ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ଆନ୍ଦୋଳନକାରୀ ଚାଷୀମାନଙ୍କୁ ଗୁଣ୍ଡା ବୋଲି କହିଥିବାରୁ ଏହାର କଡ଼ା ଜବାବ ରଖିଛନ୍ତି ବିକେୟୁ (ଭାରତୀୟ କିଷାନ ସଂଗଠନ) ନେତା ରାକେଶ ଟିକାୟତ। ଟିକାୟତ କହିଛନ୍ତି, କୃଷକମାନେ ଅନ୍ନଦାତା। ସେମାନଙ୍କ ପ୍ରତି ଏଭଳି ଶବ୍ଦ ପ୍ରୟୋଗ କରିବା ଆଦୌ ଠିକ୍‌ ନୁହେଁ। କୃଷକମାନଙ୍କ ପାଇଁ ଏଭଳି ମନ୍ତବ୍ୟ ରଖିବା ଭୁଲ୍‌। ଆମେ କୃଷକ, ଆମେ ଗୁଣ୍ଡା ନୋହୁଁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ରାକେଶ ଟିକାୟତ ମଧ୍ୟ ଆଜି ଆନ୍ଦୋଳନ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ ଟିକାୟତ କହିଥିଲେ, କୃଷକମାନେ ଯନ୍ତରମନ୍ତର ନିକଟରେ ସେମାନଙ୍କ ନିଜର ସଂସଦ ଅଧିବେଶନ କରିବେ। ଟିକାୟତ କହିଛନ୍ତି, ଯନ୍ତର ମନ୍ତର ସଂସଦଠାରୁ ମାତ୍ର ୧୫୦ ମିଟର ଦୂର। ସଂଘର୍ଷ ୮ ମାସ ଧରି ଚାଲିଛି ଏବଂ ୮ ମାସ ଧରି ଆମ ପଞ୍ଚାୟତ ଚାଲିଛି। ସରକାରଙ୍କ ଆଗରେ ଆମେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବୁ। ଯନ୍ତରମନ୍ତରରେ ‘କିସାନ ସଂସଦ’ ଦେଶବ୍ୟାପୀ ଆନ୍ଦୋଳନକୁ ନୂଆ ରାସ୍ତା ଦେଖାଇବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର