ଆଜି ଶେଷ ହୋଇପାରେ ଚାଷୀ ଆନ୍ଦୋଳନ: ସଂଯୁକ୍ତ କିଷାନ ମୋର୍ଚ୍ଚାର ମନ୍ଥନ ଜାରି

ନୂଆଦିଲ୍ଲୀ : କୃଷି ଆଇନକୁ ବିରୋଧ କରି ଜାରି ରହିଥିବା ଆନ୍ଦୋଳନ ଖୁବ୍‌ ଶୀଘ୍ର ଶେ‌ଷ ହେବ। ଏସ‌କେଏମ୍‌ (ସଂଯୁକ୍ତ କିଷାନ ମୋର୍ଚ୍ଚା) ଆସନ୍ତାକାଲି ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଆଜି ସିଂଘୁ ଏବଂ ଦିଲ୍ଲୀ ସୀମାରେ ଏସକେମ୍‌ର ଚାଷୀ ‌ନେତାମାନଙ୍କର ଏକ ବୈଠକ ହୋଇଥିଲା। କିନ୍ତୁ ବୈଠକରେ କୌଣସି ପରିଣାମ ବାହାରି ପାରିନି ଏବଂ ଆସନ୍ତାକାଲି ଅପରାହ୍ନ ୨ଟାରେ ପୁଣି ‌ବୈଠକ ହେବ। ଏସକେଏମ୍‌ର ପ୍ରମୁଖ ନେତାମାନେ ବୈଠକରେ ଯୋଗ ଦେବେ।

ଆନ୍ଦୋଳନରତ କୃଷକଙ୍କ ଦ୍ବାରା ହୋଇଥିବା କିଛି ଦାବି ସଂକ୍ରାନ୍ତରେ କେନ୍ଦ୍ର ସରକାର ଏସକେଏମ୍‌ ପାଖକୁ ଏକ ଲିଖିତ ଚିଠା ପ୍ରସ୍ତାବ ପଠାଇଥିଲେ। ତେବେ ଏସକେମ ନେତାମାନେ କହିଛନ୍ତି, ସରକାରଙ୍କ ପ୍ରସ୍ତାବ ଉପରେ ଆମେ କିଛି ପରାମର୍ଶ ଏବଂ ବିରୋଧ ଜଣାଇଛୁ। ଆନ୍ଦୋଳନ ଶେଷ ହେବାପରେ ହିଁ କୃଷକଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ହେବ ବୋଲି ସରକାର ସର୍ତ୍ତ ରଖିଥିଲେ। କିନ୍ତୁ ଚାଷୀନେତାମାନେ ଏହାକୁ ଗ୍ରହଣ କରିନାହାନ୍ତି। ବିକେୟୁ ନେତା ରାକେଶ ଟିକ‌ାୟତ କହିଛନ୍ତି, କେନ୍ଦ୍ର ସରକାର କିଛି ପ୍ରସଙ୍ଗ ଉପରେ ସଠିକ୍‌ ଦିଗଦର୍ଶନ କରିନାହାନ୍ତି। ସରକାର କହିଛନ୍ତି, ଆନ୍ଦୋଳନ ଶେଷ ହେଲେ ମାମଲା ପ୍ରତ୍ୟାହାର ହେବ।

ତେଣୁ ଆସନ୍ତାକାଲି ହିଁ ଏସକେଏମ୍‌ ଆନ୍ଦୋଳନ ପ୍ରତ୍ୟାହାର ନେଇ ନିଷ୍ପତ୍ତି ନେବ ବୋଲି କୁହାଯାଉଛି ମିଳିଥିବା ସୂଚନାନୁଯାୟୀ ଏସକେଏମ୍‌ର ଅଧିକାଂଶ ସଦସ୍ୟ ଆନ୍ଦୋଳନ ପ୍ରତ୍ୟାହାର ସପକ୍ଷରେ ଅଛନ୍ତି।
କୃଷକମାନେ ସରକାରଙ୍କ ନିକଟରେ ୬ ଦଫା ଦାବି ରଖିବାପରେ ସରକାର ଏହି ପ୍ରସଙ୍ଗରେ ଏସକେଏମ୍‌କୁ ଏକ ଚିଠା ପ୍ରସ୍ତାବ ଦେଇଥିଲେ। କୃଷକମାନଙ୍କ ପ୍ରଥମ ଦାବି ହେଉଛି ଏମ୍‌ଏସ୍‌ପି ପଦ୍ଧତିକୁ ନେଇ ଆଇନ ତିଆରି ଦେଉ। ସରକାର କୃଷକମାନଙ୍କୁ ଲିଖିତ ପ୍ରତିଶ୍ରୁତି ଦେବାକୁ ମଧ୍ୟ ରାଜି ଥିବା କେତେକ ସୂତ୍ରରୁ ଜଣାପଡ଼ିଛି। ‌

ଏମ୍‌ଏସପି ପ୍ରସଙ୍ଗ‌ରେ ଆଲୋଚନା ପାଇଁ ସରକାର ଏକ କମିଟି ଗଠନ ପାଇଁ ଚାହୁଛନ୍ତି। ଏହି କମିଟିରେ ଏସକେଏମ୍‌ର ପ୍ରତିନିଧି ରହିବେ। କେନ୍ଦ୍ର ସରକାର ମଧ୍ୟ କହିଛନ୍ତି ଯେ, ଆନ୍ଦୋଳନ ପ୍ରତ୍ୟାହାର କରିବାପରେ ହିଁ ଉତ୍ତରପ୍ରଦେଶ ଏବଂ ହରିୟାଣା ସରକାର କୃଷକଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରିବେ। ସେହିପରି ଆନ୍ଦୋଳନରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାର ସଦସ୍ୟଙ୍କୁ ସରକାର କ୍ଷତିପୂରଣ ଦେବାପାଇଁ ସରକାର ରାଜି ଅଛନ୍ତି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର