୨୨ରୁ ସଂସଦ ଭବନ ବାହାରେ ଚାଷୀଙ୍କ ଧାରଣା: ଟିକାୟତ

ପ୍ରତିଦିନ ୨ ଶହ ଚାଷୀ ସାମିଲ ହେବେ

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରୁ ସଂସଦ ଭବନ ବାହା‌ରେ ଚାଷୀମାନେ ଆନ୍ଦୋଳନ କରିବେ। ନୂଆ କୃଷି ଆଇନ ପ୍ରସଙ୍ଗରେ ସରକାର ଚାଷୀଙ୍କ ସହ କଥାବାର୍ତ୍ତା ପାଇଁ ଆଗ୍ରହୀ ନାହାନ୍ତି। ତେଣୁ ଚାଷୀମା‌ନେ ବି ହାର୍‌ ମାନିବେ ନାହିଁ। ଆନ୍ଦୋଳନ ଜାରି ରହିବ ଏବଂ ୨୨ ତାରିଖରେ ଚାଷୀମାନେ ସଂସଦ ବାହାରେ ଧାରଣା ଦେବେ ବୋଲି ବିକେୟୁ (ଭାରତୀୟ କିଶାନ ସଂଗଠନ) ନେତା ରାକେଶ ଟିକାୟତ କହିଛନ୍ତି। ଏହି ଆନ୍ଦୋଳନରେ ପ୍ରତିଦିନ ୨୦୦ ଚାଷୀ ଏହି ଏହି ଧାରଣା କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଟିକାୟତ କହିଛନ୍ତି। ଅନ୍ୟପକ୍ଷେ ଏସ୍‌‌କେଏମ୍‌ (ସଂଯୁକ୍ତ କିଷାନ ମୋର୍ଚ୍ଚା) କହିଛି, ପଂଜାବର ବିଭିନ୍ନ ଅଂଚଳରୁ କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଲୁଧିଆନା, ବଠିଣ୍ଡା, ବରନଲା, ରୋପର, ଫଜିଲ୍‌କା ଏବଂ ଫରିଦକୋଟରୁ ଚାଷୀମାନେ ସେମାନଙ୍କ ଯାତ୍ରା ଆରମ୍ଭ କରି ସାରିଛନ୍ତି।

ପ୍ରତିଦିନ ପ୍ରତି କୃଷକ ସଂଗଠନରୁ ୫ ଜଣ ସଦସ୍ୟ ତଥା ମୋଟ୍‌ ୨୦୦ ଜଣ ସଂସଦର ମୌସୁମୀ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ସଂସଦ ବାହାରେ ଧାରଣା ପ୍ରଦର୍ଶନ କରିବେ। ସରକାର ଚାଷୀମାନଙ୍କ ନ୍ୟାୟୋଚିତ ଦାବିକୁ ଅଣଦେଖା କରି ନୂଆ କୃଷି ଆଇନ ଲଦିଦେବାକୁ ଯୋଜନା କରିଥିବାରୁ ଏହାକୁ କଦାପି ଗ୍ରହଣ କରାଯିବ ନାହିଁ ଏବଂ ଏହା ବିରୋଧରେ ଆଗକୁ ଆନ୍ଦୋଳନ ଜୋର୍‌ଦାର ହେବ ବୋଲି ଚାଷୀ ନେତାମାନେ କହିଛନ୍ତି।

ସମ୍ବନ୍ଧିତ ଖବର