ନୂଆଦିଲ୍ଲୀ: ସାରାଦେଶରେ ଗଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକାରୀ ଚାଷୀ ବିଶାଳ ଟ୍ରାକ୍ଟର ରାଲି ବାହାର କରିଛନ୍ତି । ଚାଷୀଙ୍କ ଏହି ଟ୍ରାକ୍ଟର ରାଲି ବେଳେ ପୁଲିସ ସହିତ ମୁହାଁମୁହିଁ ପରିସ୍ଥିତି ଉପୁଜିଛି।
ପ୍ରଥମେ ବରିକେଡ ଭାଙ୍ଗିବା ପରେ ଚାଷୀମାନେ ପୁଲିସ ଉପରକୁ ଟ୍ରାକ୍ଟର ଚଢ଼ାଇବାକୁ ଉଦ୍ୟମ କରିଥିଲେ ବୋଲି ଜଣାପଡ଼ିଛି । କେବଳ ଏତିକି ନୁହେଁ, ଜଣେ ଆନ୍ଦୋଳନକାରୀ ରାଜପଥରେ ପୁଲିସକୁ ଖଣ୍ଡା ଧରି ଗୋଡାଇଥିବା ବି ଖବର ଆସିଛି। ନିକଟରେ ଥିବା ଅନ୍ୟ ଚାଷୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ପରେ ପୁଲିସ ଉକ୍ତ ଆନ୍ଦୋଳନକାରୀ ଚାଷୀଙ୍କୁ ନିଜ ଆୟତ୍ତକୁ ନେଇଥିଲା। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
#WATCH Violence continues at ITO in central Delhi, tractors being driven by protestors deliberately try to run over police personnel pic.twitter.com/xKIrqANFP4
— ANI (@ANI) January 26, 2021
ସୂଚନାଯୋଗ୍ୟ, ସଂଜୟ ଗାନ୍ଧୀ ଟ୍ରାନ୍ସପୋର୍ଟ ନଗର ନିକଟରେ କୃଷକମାନେ ବିଶାଳ ଟ୍ରାକ୍ଟର ରାଲିରେ ଦିଲ୍ଲୀକୁ ପ୍ରବେଶ କରୁଥିଲେ। କିନ୍ତୁ ଏହି ସମୟରେ ଦିଲ୍ଲୀ ପୁଲିସ ଟ୍ରାକ୍ଟର ରାଲିକୁ ଅଟକାଇବାକୁ ଉଦ୍ୟମ କରିଥିଲା। ଚାଷୀମାନେ ନିଜ ଜିଦରେ ଅଟଳ ରହିବାରୁ ପୁଲିସ ବାଧ୍ୟ ହୋଇ ଚାଷୀମାନଙ୍କ ଉପରକୁ ଲୁହ ବୁହା ଗ୍ୟାସ୍ର ପ୍ରୟୋଗ କରିଥିଲା। ଏପରିକି ଚାଷୀଙ୍କ ଉପରେ ପୁଲିସ ଲାଠି ଚାର୍ଜ କରିଥିବା ଦେଖିବାକୁ ମିଳିଛି।