ନୂଆଦିଲ୍ଲୀ: ଲଖିମପୁର ଖେରି ହିଂସା ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଏବଂ ଗିରଫ ଦାବିରେ କୃଷକ ସଂଗଠନ ପକ୍ଷରୁ ଆଜି ଦେଶବ୍ୟାପୀ ରେଳ ରୋକୋ କରାଯାଇଛି। ସାରା ଦେଶରେ ୨୯୩ଟି ଟ୍ରେନର ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିରେ ୧୫୦ଟି ମାଲବାହୀ ଟ୍ରେନ୍ ରହିଛି। ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଆନ୍ଦୋଳନ ଯୋଗୁ ବିଦ୍ୟୁତ୍ ପ୍ଲାଣ୍ଟଗୁଡ଼ିକୁ କୋଇଲା ପରିବହନ କରୁଥିବା ପ୍ରାୟ ୭୫ଟି ଟ୍ରେନ୍‌ର ଗତିରୋଧ ହୋଇଛି। ପ୍ରାୟ ୪୩ଟି ଟ୍ରେନକୁ ବାତିଲ କରାଯାଇଛି। ଏଥିଯୋଗୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Advertisment

ପୂର୍ବାହ୍ନ ୧୦ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ରେଳ ‌ରୋକୋ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ କରାଯାଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ କୃଷକ ନେତାମାନଙ୍କୁ ଅଟକ ରଖାଯିବା ସହିତ ଗିରଫ କରାଯାଇଛି। ତେବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମିଶ୍ର ଇସ୍ତଫା ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିକେୟୁ ନେତା ରାକେଶ ଟିକାୟତ କହିଛନ୍ତି।
ପଂଜାବ, ହରିୟାଣା ଓ ରାଜସ୍ଥାନର ୧୩୦ଟି ସ୍ଥାନରେ ୫୦ଟି ଟ୍ରେନ୍ ପ୍ରଭାବିତ ହୋଇଛି ବୋଲି ରେଳ କର୍ମଚାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ବିହାର, କର୍ଣ୍ଣାଟକ ଆଦି ରାଜ୍ୟରେ ମଧ୍ୟ ରେଳ ଚଳାଚଳ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଆନ୍ଦୋଳନକାରୀମାନେ ଦୀର୍ଘ ସମୟ ଧରି ରେଳଧାରଣା ଉପରେ ବସି ରହି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଳୋଗାନ ଦେଇଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ନଦେଲେ ତଦନ୍ତ ନିରପେକ୍ଷ ହେବ ନାହିଁ ବୋଲି ସେମାନେ କହିଛନ୍ତି।

ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଲଖିମପୁର ଖେରି ଘଟଣାରେ ଅକ୍ଟୋବର ୯ରେ ଗିରଫ ହୋଇଥିବା ବେଳେ ମନ୍ତ୍ରୀ ତାଙ୍କ ପୁଅ ନିର୍ଦ୍ଦୋଷ ବୋଲି କହିଆସୁଛନ୍ତି। କୃଷକମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ରେଳ ରୋକୋ ଯୋଗୁ ରାଜସ୍ଥାନ ଓ ହରିୟାଣାରେ ୨ଟି ଟ୍ରେନ୍ ସମ୍ପୂର୍ଣ୍ଣ ଏବଂ ୧୩ଟି ଟ୍ରେନ୍ ଆଂଶିକ ବାତିଲ ହୋଇଛି। ଗୋଟିଏ ଟ୍ରେନ୍‌କୁ ବୁଲାଣି ରାସ୍ତାରେ ନିଆଯାଇଛି। ପ୍ରମୁଖ କୃଷକ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏହି ରେ‌ଳରୋକୋ ଡାକରା ଦିଆଯାଇଥିଲା। ଗତ ସପ୍ତାହରେ କଂଗ୍ରେସ ନେତାମାନେ ଲଖିମପୁର ଖେରି ହିଂସା ପ୍ରସଙ୍ଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ। ରାଷ୍ଟ୍ରପତି ଏହି ପ୍ରସଙ୍ଗରେ ସରକାରଙ୍କ ସହିତ କଥା ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।