ମହାରାଷ୍ଟ୍ରରେ କୃଷକଙ୍କ ବିଶାଳ ପଦଯାତ୍ରା : ନାସିକ୍‌ରୁ ଯାତ୍ରା ଆରମ୍ଭ କଲେ ୫୦ ହଜାର କୃଷକ

ମୁମ୍ବାଇ : ମହାରାଷ୍ଟ୍ରର ହଜାର ହଜାର କୃଷକ ପୁଣି ଥରେ ସରକାରଙ୍କ ବିରୋଧରେ ଏକଜୁଟ୍‌ ହୋଇଛନ୍ତି। ଗତବର୍ଷ ମାର୍ଚ୍ଚ ମାସ‌ରେ ହୋଇଥିବା କୃଷକ ଆନ୍ଦୋଳନ ସମୟରେ ବିଜେପି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଏଯାବତ୍‌ ପୂରଣ ହୋଇନଥିବାରୁ ଏହାର ପ୍ରତିବାଦ କରି ପଦଯାତ୍ରା ଆରମ୍ଭ ହୋଇଛି । କୃଷକ ସଂଗଠନ ଏଆଇକେଏସ୍‌ (ଅଲ୍‌ ଇଣ୍ଡିଆ କିସାନ୍‌ ସଭା) ନେତୃତ୍ବରେ ୨୩ଟି ଜିଲ୍ଲାର ୫୦ ହଜାରରୁ ଅଧିକ କୃଷକ ଆଜି ନାସିକ୍‌ରୁ ୭ ଦିନିଆ ପଦଯାତ୍ରା ଆରମ୍ଭ କରିଛନ୍ତି। ଆସନ୍ତା ୨୭ ତାରିଖରେ କୃଷକମାନେ ମୁମ୍ବାଇର ଆଜାଦ ମଇଦାନ୍‌ରେ ପହଞ୍ଚି‌ବେ। ଜଣାଯାଇଛି ଯେ କୃଷକମାନେ ଋଣଛାଡ଼, ସର୍ବନିମ୍ନ ସହାୟକ ମୂଲ୍ୟ, ନଦୀ ସଂଯୋଗୀକରଣ ଚୁକ୍ତିର ସଂଶୋଧନ, ସ୍ବାମୀନାଥନ କମିସନ୍‌ ସୁପାରିସ କାର୍ଯ୍ୟକାରୀ କରିବା ଏବଂ କୃଷକମାନଙ୍କୁ ପେନ୍‌ସନ୍‌ ପରି ବିଭିନ୍ନ ଦାବି ରଖି ଏହି ଆନ୍ଦୋଳନ ଓ ପଦଯାତ୍ରା ଆରମ୍ଭ କରିଛନ୍ତି। ଏଆଇକେଏସ୍‌ ରାଜ୍ୟ ସଚିବ ଅଜିତ ନାଭାଲେ କହିଛନ୍ତି ଯେ ବିଜେପି ସରକାର କୃଷକଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ଆମ ପାଖରେ ଆଉ କିଛି ରାସ୍ତା ନାହିଁ। ଆତ୍ମହତ୍ୟା କରିବା ଅପେକ୍ଷା ଆନ୍ଦୋଳନ କରିବା ଭଲ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର