ନୂଆଦିଲ୍ଲୀ: ଦିଲ୍ଲୀର ରାମଳୀଳା ମଇଦାନରେ ଆଜି (ସୋମବାର) ଏକ ବିଶାଳ ଚାଷୀ ସମାବେଶ ଆୟୋଜନ ହେବ। ଦେଶର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୫ ହଜାର ଚାଷୀ ଏହି ସମାବେଶରେ ଯୋଗ ଦେଉଥିବା ଜଣାପଡ଼ିଛି। ‘କିଷାନ ଗର୍ଜନ ରୢାଲି’ର ଆୟୋଜକଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଚାଷୀମାନେ ୮୦୦ ବସ୍ ଏବଂ ୪ ହଜାର ନିଜସ୍ବ ଯାନରେ ରୢାଲି ସ୍ଥଳରେ ପହଞ୍ଚିବେ। ଏହି ଚାଷୀ ସମାବେଶକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ଟ୍ରାଫିକ୍ ନିର୍ଦ୍ଦେଶାବଳି ଜାରି କରିଛି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବିଭିନ୍ନ ରାସ୍ତାକୁ ବନ୍ଦ କରାଯାଇଥିବା ବେଳେ କେତେକ ଅଂଚଳରେ ରୁଟ୍ ବଦଳାଇ ଦିଆଯାଇଛି।
ଭାରତୀୟ କିଷାନ ସଂଘ ପକ୍ଷରୁ କୁହାଯାଇଛି ଯେ ଦେଶର ୫୬୦ଟି ଜିଲ୍ଲାରୁ ପ୍ରତିନିଧିମାନେ ରାଲିରେ ସାମିଲ ହେବେ। ରାମଲୀଳା ମୈଦାନରେ ମୁଖ୍ୟ ରାଲି ପୂର୍ବରୁ ବାଇକ୍ ରାଲି ମଧ୍ୟ ମଧ୍ୟ କରିବା ପାଇଁ ଯୋଜନା ହୋଇଛି। ଚାଷୀମାନଙ୍କୁ ସେମାନଙ୍କ ବିନିଯୋଗ ଆଧାରରେ ଉଚିତ ମୂଲ୍ୟ ଦିଆଯିବା, ଏମ୍ଏସପି ବୃଦ୍ଧି, କୃଷି ସାମଗ୍ରୀରୁ ଜିଏସ୍ଟି ଛାଡ଼ କରିବା, ଜି.ଏମ୍. ଫସଲ ଅନୁମତିକୁ ତୁରନ୍ତ ପ୍ରତ୍ୟାହାର କରିବା ଆଦି ଦାବି ନେଇ ‘କିଷାନ ଗର୍ଜନ ରାଲି’ ଅନୁଷ୍ଠିତ ହେଉଛି।