ହରିୟାଣାରେ ଆନ୍ଦୋଳନ ବନ୍ଦ କଲେ ଚାଷୀ: ଆଇଏଏସ୍‌ ଅଫିସରଙ୍କୁ ଛୁଟିରେ ପଠାଇବା ପରେ ନରମିଲେ

ଲାଠିମାଡ଼ରେ ପ୍ରାଣ ହାରିଥିବା ୨ ଚାଷୀଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି

କର୍ନାଲ୍‌ : ଆନ୍ଦୋଳନରତ ଚାଷୀ ଏବଂ ହରିୟାଣାରେ ବିଜେପି ସରକାର ମଧ୍ୟରେ ଚାଲିଥିବା ସପ୍ତାହ ବ୍ୟାପୀ ବିବାଦର ଆଜି ସମାଧାନ ହୋଇଛି। ଆଇଏଏସ୍‌ ଅଫିସର ଆୟୁଷ ସିହ୍ନା ଚାଷୀଙ୍କ ବାବଦରେ ଦେଇଥିବା ବିବାଦୀୟ ବୟାନକୁ ବିରୋଧ କରି ଚାଷୀମାନେ ଚଳାଇଥିବା ଆନ୍ଦୋଳନର ଆଜି ପରିସମାପ୍ତି ଘଟିଛି। ସରକାର ଆୟୁଷ ସିହ୍ନାଙ୍କୁ ଛୁଟିରେ ପଠାଇବା ପରେ ଚାଷୀମାନେ ନରମିଛନ୍ତି। ଉକ୍ତ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ଜଣେ ପୂର୍ବତନ ବିଚାରପତିଙ୍କ ଦ୍ବାରା ତଦନ୍ତ ହେବ ବୋଲି ଘୋଷଣା କରାଯିବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଥିଲେ।

ଚାଷୀ ଆନ୍ଦୋଳନ ନେଇ ସପ୍ତାହେ ଧରି କର୍ନାଲ୍‌ରେ ହାଇ ଡ୍ରାମା ଲାଗି ରହିଥିଲା ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଥିଲା। କୃଷକଙ୍କ ମୁଣ୍ଡ ଫଟାଇଦିଅ ବୟାନ ଦେଇଥିବା ଆଇଏଏସ୍‌ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଚାଷୀମାନେ ଆନ୍ଦୋଳନ କରି ଆସୁଥିଲେ। ଗୃହମନ୍ତ୍ରୀ ଅନୀଲ ବିଜ ଚଳିତ ସପ୍ତାହ ଆରମ୍ଭରେ କହିଥିଲେ, ବିନା ତଦନ୍ତରେ ଜଣେ ଅଫିସରଙ୍କୁ ଆମେ ଦଣ୍ଡିତ କରିପାରିବୁ ନାହିଁ । ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୨୮ ତାରିଖ‌ରେ ପୁଲିସ ଲାଠିମାଡ଼ରେ ଯେଉଁ ୨ ଚାଷୀଙ୍କ ମୃତ୍ୟୁ ‌ହୋଇଥିଲା ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣଙ୍କୁ ସରକାରୀ ଚାକିରି ଦେବାପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର