ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ୪୦ଟି ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ ୫୭ଦିନରେ ପହଞ୍ଚିଛି। ନୂଆ କୃଷି ଆଇନକୁ ବିରୋଧ କରି ପଞ୍ଜାମ ସମେତ ଅନେକ ରାଜ୍ୟର ଚାଷୀ ଦିଲ୍ଲୀ ସୀମାରେ ନିଜର ଆନ୍ଦୋଳନ ଜାରି ରଖିଛନ୍ତି। ଚାଷୀମାନେ ଜାନୁଆରି ୨୬ ତାରିଖରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ବାହାର କରିବେ ବୋଲି ଘୋଷଣା କରିଛନ୍ତି।
ଏହି ପ୍ରସଙ୍ଗରେ କୃଷକ ସଙ୍ଗଠନ ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ ପୁଲିସ ମଧ୍ୟରେ ଆଜି ବୈଠକ ହୋଇଥିଲା। ବୈଠକରେ ଚାଷୀମାନେ ସ୍ପଷ୍ଟ ଭାବେ କହିଛନ୍ତି, ଯେ ସେମାନେ ଯେକୌଣସି ପରିସ୍ଥିତିରେ ଦିଲ୍ଲୀ ଆଉଟର ରିଙ୍ଗ ରୋଡରେ ଟ୍ରାକ୍ଟର ରାଲି ବାହାର କରିବେ।
/sambad/media/post_attachments/f026295b4339244a6413a8e97ead9ab13a5949ca20766bf493f78b453568f65a.jpg)
ଏହାକୁ ନେଇ ଦିଲ୍ଲୀ ପୁଲିସ କହିଛି ଯେ, ଗଣତନ୍ତ୍ର ଦିବସକୁ ଦେଖି ଆଉଟର ରିଙ୍ଗରୋଡରେ ଟ୍ରାକ୍ଟର ରାଲିକୁ ନେଇ ଅନୁମତି ଦେଇ ପାରିବେ ନାହିଁ। ତେଣୁ କେଏମପି ଜାତୀୟ ରାଜପଥରେ ଏହି ରାଲି କରିବାକୁ ଦିଲ୍ଲୀ ପୁଲିସ ଚାଷୀଙ୍କୁ ପ୍ରସ୍ତାବ ଦେଇଛି। କାରଣ ଗଣତନ୍ତ୍ର ଦିବସ ଥିବା ହେତୁ ସେମାନେ ଟ୍ରାକ୍ଟର ରାଲିକୁ ସୁରକ୍ଷା ଦେଇ ପାରିବେ ନାହିଁ।
ଗତକାଲି ଚାଷୀ ପ୍ରତିନିଧି ଏବଂ ସରକାରଙ୍କ ମଧ୍ୟରେ ୧୦ମ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସରକାର ଚାଷୀ ନେତାଙ୍କୁ ଏକ ପ୍ରସ୍ତାବରେ କହିଥିଲେ, ଯେ ଅସ୍ଥାୟୀ ଭାବେ ସରକାର ନୂଆ କୃଷି ଆଇନରେ ରୋକ୍ ଲଗାଇବାକୁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ଆଇନ ପ୍ରତ୍ୟାହାର ହୋଇପାରିବ ନାହିଁ।
ଆଇନକୁ ସରକାର ୧ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ନିଲମ୍ବିତ ରଖିବେ ଏବଂ ଏହି ସମୟ ମଧ୍ୟରେ ଚାଷୀଙ୍କ ଦାବି ସଂପର୍କରେ ବିଚାର କରି ଯଥୋଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାର ପ୍ରସ୍ତାବ ଦେଇଥିଲେ।