ଭୋପାଳ: ମଦ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ, କିନ୍ତୁ ମଧ୍ୟପ୍ରଦେଶର ନର୍ମଦାପୁରମ ଜିଲ୍ଲାର କୃଷକମାନେ ଏହାକୁ ମୁଗ ପାଇଁ ବରଦାନ ବୋଲି ଭାବୁଛନ୍ତି। ମୁଗ ବ୍ୟତୀତ କିଛି ଚାଷୀ ଫସଲରେ ହଳଦୀ, କ୍ଷୀର ମଧ୍ୟ ବ୍ୟବହାର କରୁଛନ୍ତି। ନର୍ମଦାପୁରମର କୃଷକମାନେ ବିଶ୍ୱାସ କରନ୍ତି ଯେ ମଦ ସିଞ୍ଚନ କରିବା ଦ୍ୱାରା ମୁଗ ଗଛ ବଢିଥାଏ । ଅନେକ ଚାଷୀ ୧୧ ଲିଟର ଓ ୧୬ ଲିଟର ସ୍ପ୍ରେ ମେସିନରେ ୧୦୦ ମିଲିଲିଟର ଦେଶୀ ଓ ଇଂରାଜୀ ମଦ ସିଞ୍ଚନ କରିଥାନ୍ତି ।

Advertisment

ନର୍ମଦାପୁରମ୍ ଜିଲ୍ଲାର ନାଇଖେଡ଼ା ଗ୍ରାମର ଚାଷୀ ପ୍ରେମଶଙ୍କର ପଟେଲଙ୍କର ୫ ଏକର ଜମି ରହିଛି । ସେ କହିଛନ୍ତି ଯେ ଫସଲରେ କୀଟନାଶକ ପ୍ରୟୋଗ ତୁଳନାରେ ମଦ ସିଞ୍ଚନ କରିବା ଶସ୍ତା ପଡ଼ିଥାଏ ।  ମୁଗରେ କୀଟନାଶକ ସିଞ୍ଚନ ପାଇଁ ଏକର ପିଛା ୧୦୦ରୁ ୧୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଦେଶୀ ମଦ ପାଇଁ ଏକର ପିଛା ମାତ୍ର ୧୦ରୁ ୧୨ ଟଙ୍କା ଖର୍ଚ୍ଚ ହୋଇଥାଏ । ଫସଲ ବୁଣିବାର ୪୦ ଦିନ ପରେ ସିଞ୍ଚନ କରାଯାଏ । ଏହାଦ୍ୱାରା ଭଲ ଅମଳ ହୋଇଥାଏ ବୋଲି ସେ କହିଛନ୍ତି।

ଅନେକ ଚାଷୀ ପାଣିରେ ଦେଶୀ ମଦ, ମହୁଲି ମଦ ମିଶାଇ ସିଞ୍ଚନ କରୁଛନ୍ତି। ଆଉ ଜଣେ ଚାଷୀ ଘାସିରାମଙ୍କ କହିବାନୁଯାୟୀ, କୀଟନାଶକର ଦାମ୍ ଅଧିକ ଥିବାରୁ ଫସଲ କୁ ବଞ୍ଚାଇବା ପାଇଁ ମଦ ବ୍ୟବହାର ଆରମ୍ଭ ହୋଇଛି। ଏହା ଦ୍ବାରା ଫସଲ ମଧ୍ୟ କୀଟପତଙ୍ଗଙ୍କ କବଳରୁ ରକ୍ଷା ପାଇବା ସହ ଅମଳ ମଧ୍ୟ ବୃଦ୍ଧି ପାଉଛି ।