ଚାଷୀମାନେ ପ୍ରଧାନମନ୍ତ୍ରୀଙ୍କ ନାଁ ନେଇ ପ୍ରଚାର କରିବେ: ଟିକାୟତ

ମୁଜାଫରନଗର: କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଥିବା କୃଷକମାନେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ ନାଁ ନେଇ ହିଁ ପ୍ରଚାର କରିବେ। କାରଣ ବିଜେପି ତାହା ହିଁ କରୁଛି। ଉତ୍ତର ପ୍ରଦେଶର ମୁଜାଫରନଗରଠାରେ ଆ‌ଜି ହୋଇଥିବା କୃଷକମାନଙ୍କ ମହାସମାବେଶ ସ୍ଥଳରୁ ଏଭଳି ବାର୍ତ୍ତା ଦେଇଛନ୍ତି କୃଷକ ନେତା ରାକେଶ ଟିକାୟତ। ତେଣୁ ସେମାନଙ୍କର ପ୍ରଚାରର ପନ୍ଥା ଅତ୍ୟନ୍ତ ଭିନ୍ନ ରହିବ ବୋଲି ଟିକାଏତ ସ୍ପଷ୍ଟ କରିଦେଇଛନ୍ତି।

ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଟିକାୟତ ବିଜେପିକୁ କଟାକ୍ଷ କରି କହିଛନ୍ତି ଯେ ଆମେ କେବଳ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁକିଛି ବିକୁଛନ୍ତି। ଆମେ ଲୋକଙ୍କୁ ସବୁକିଛି ବିକ୍ରି ହେଉଥିବା ଜଣାଇବୁ। ତେଣୁ ଏହାଦ୍ବାରା ପ୍ରଧାନମନ୍ତ୍ରୀଙ୍କର ପ୍ରଚାର ହେବ। ବିଜୁଳି ଏବଂ ପାଣି ଆଦି ବିକ୍ରି କରାଯାଉଛି। ଲୋକଙ୍କ ନିକଟରେ ଏହି କଥା ପହଞ୍ଚାଇବା ଭୁଲ୍‌ କି ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଆସନ୍ତାବର୍ଷ ଉତ୍ତର ପ୍ରଦେଶ ରାଜ୍ୟ ନିର୍ବାଚନରେ ବିଜେପି ବିରୋଧରେ କୃଷକମାନେ ପ୍ରଚାର କରିବେ ବୋଲି ଘୋଷଣା କରିଛନ୍ତି। ଏପରିକି ଆଜିର ମହା‌ସମାବେଶକୁ ସେମାନେ ମିସନ ଉତ୍ତରପ୍ରଦେଶ-ଉତ୍ତରାଖଣ୍ଡ ନାମରେ ନାମିତ କରିଛନ୍ତି। ଆଜିର ମହାସମାବେଶ ପରେ ଟିକାୟତ ଘୋଷଣା କରିଛନ୍ତି ଏଭଳି ବୈଠକ ଆଗାମୀ ଦିନରେ ଉତ୍ତର ପ୍ରଦେଶର ଅନ୍ୟ ଜିଲ୍ଲାରେ ମଧ୍ୟ ହେବ। ଦ୍ବିତୀୟ ପିଏମ୍‌ଓ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ) ବାରଣାସୀରେ ରହିଛି। ବାରଣାସୀ ମୋଦୀଙ୍କ ସଂସଦୀୟ କ୍ଷେତ୍ର। ତେଣୁ ବାରଣାସୀ ଓ ଲକ୍ଷ୍ନୌରେ ମଧ୍ୟ ପଞ୍ଚାୟତ ହେବ ବୋଲି ଟିକାଏତ ସୂଚନା ଦେଇଛନ୍ତି।
ଦେଶକୁ ବିକ୍ରିରୁ ରକ୍ଷା କରିବାର ଆବଶ୍ୟକତା ରହିଛି। କୃଷକ, ଶ୍ରମିକ ଏବଂ ଯୁବବର୍ଗକୁ ବଞ୍ଚିବାକୁ ଦିଆଯିବା ଉଚିତ। ଦେଶବ୍ୟାପୀ ଏଭଳି ବୈଠକ ହେବ ବୋଲି ରାକେଶ ଟିକାୟତ ତାଙ୍କ ଉଦବୋଧନରେ କହିଛନ୍ତି।

ସମ୍ବନ୍ଧିତ ଖବର