ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ର ଗ୍ୟାରେଣ୍ଟି ସହିତ ଅନେକ ଦାବି ନେଇ କୃଷକମାନେ ପୁଣି ଥରେ ଦିଲ୍ଲୀ ଫେରିବାକୁ ଯୋଜନା କରୁଛନ୍ତି। ସୋମବାର ଦିନ ଜନ୍ତର ମନ୍ତରରେ କୃଷକଙ୍କ ବିରୋଧ ଡାକରା ପୂର୍ବରୁ ଦିଲ୍ଲୀ-ହରିୟାଣାକୁ ସଂଯୋଗ କରୁଥିବା ଟିକ୍ରି ସୀମାରେ ସିମେଣ୍ଟେଡ୍ ବ୍ୟାରିକେଡ୍ ନିର୍ମାଣ ଆରମ୍ଭ ହୋଇଛି। ଏହା ସହିତ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି। ପ୍ରଦର୍ଶନ ପାଇଁ କୃଷକମାନେ ଦିଲ୍ଲୀରେ ପହଞ୍ଚିବା ଆରମ୍ଭ କରିଛନ୍ତି।
ଆନ୍ଦୋଳନ ପାଇଁ ଦିଲ୍ଲୀ ଆସୁଥିବା କୃଷକ ନେତା ରାକେଶ ଟିକାୟତଙ୍କୁ ମଧ୍ୟ ଗାଜୀପୁର ସୀମାରେ ଦିଲ୍ଲୀ ପୁଲିସ ହେପାଜତକୁ ନେଇଥିବା ଜଣାପଡ଼ିଛି। ରାକେଶ ଟିକାୟତ ତାଙ୍କର କିଛି ସମର୍ଥକଙ୍କ ସହ ଦିଲ୍ଲୀ ଯିବାକୁ ଚାହୁଁଥିବା ବେଳେ ଦିଲ୍ଲୀ ପୁଲିସ ମନା କରିଦେଇଥିଲା। ଏହା ପରେ ଟିକାୟତଙ୍କ ସମର୍ଥକମାନେ ରାସ୍ତାରେ ବସି ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ। ଏହା ଦେଖି ଦିଲ୍ଲୀ ପୁଲିସ ସମସ୍ତଙ୍କୁ ମଧୁ ବିହାର ପୁଲିସ ଏସିପି କାର୍ଯ୍ୟାଳୟକୁ ନେଇ ଯାଇଥିଲେ।
ପୁଲିସ ଅଟକ ରଖିବା ପରେ ଟ୍ବିଟ କରି ଟିକାୟତ କହିଥିଲେ ଯେ, ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଦିଲ୍ଲୀ ପୁଲିସ ଚାଷୀଙ୍କ ସ୍ୱରକୁ ଦମନ କରିପାରିବ ନାହିଁ। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏହି ସଂଗ୍ରାମ ଜାରି ରହିବ। ତେବେ ଅଟକ ରଖିବାର କିଛି ସମୟ ପରେ କୃଷକମାନେ ଥାନା ଘେରାଉ କରିବାରୁ ପୁଲିସ ପୁଣି ଥରେ ଟିକାୟତଙ୍କୁ ଗାଜୀପୁର ସୀମାରେ ଛାଡ଼ିଥିବା ନେଇ ସୂଚନା ମିଳିଛି।
ଏହା ପୂର୍ବରୁ ଟିକାୟତ ଶୁକ୍ରବାର ଦିନ ଦେଶର ଚାଷୀଙ୍କୁ ଆହ୍ବାନ ଦେଇଥିଲେ ଯେ ନିଜ ସମସ୍ୟାର ସମାଧାନ ପାଇଁ ଦେଶବ୍ୟାପୀ ଏକ ବିଶାଳ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରୁହନ୍ତୁ। ସେ କହିଥିଲେ ଯେ ଦେଶବ୍ୟାପୀ ଆନ୍ଦୋଳନ କେବେ, କେଉଁଠାରେ ଏବଂ କିପରି ହେବ, ଏସକେଏମ ନେତାମାନେ ଉପଯୁକ୍ତ ସମୟରେ ଏହା ବିଷୟରେ ସୂଚନା ଦେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ସ-228.jpg)