ଟିଭିରେ ଘୋଷଣା କରିଦେଲେ କୃଷକମାନେ ଘରକୁ ଯିବେ ନାହିଁ, ଚାଷୀଙ୍କ ସହ କଥା ହେବାକୁ ପଡ଼ିବ: ରାକେଶ ଟିକାୟତ

ନୂଆଦିଲ୍ଲୀ: ତିନି ବିବାଦୀୟ କୃଷି ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରିବେ ବୋଲି ଆଜି ସକାଳ ୯ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ। କ୍ଷମା ମାଗିବା ସହ ପ୍ରଧାନମନ୍ତ୍ରୀ ସ୍ବୀକାର କରିଥିଲେ ଯେ, କୃଷି ଆଇନ ସମ୍ବନ୍ଧରେ ଗୋଟିଏ ଗୋଷ୍ଠୀର କୃଷକମାନଙ୍କୁ ବୁଝାଇବାରେ ସରକାର ଅସମର୍ଥ ହୋଇଛନ୍ତି। ଚଳିତ ମାସରେ ହେବାକୁ ଥିବା ସଂସଦୀୟ ଅଧିବେଶନରେ ତିନି କୃଷି ଆଇନ ଉ‌ଚ୍ଛେଦ ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବ। ଆଜି ଗୁରୁ ପୂରବ। କୃଷକମାନଙ୍କୁ ଅନୁରୋଧ କରୁଛୁ ଦୟାକରି ନିଜନିଜର ଘରପରିବାରକୁ ଫେରି ଯାଆନ୍ତୁ।

ତେବେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଆହ୍ବାନ ପରେ ଏହାକୁ ବି‌ରୋଧ କରିଛନ୍ତି ଭାରତ କିଷ‌ାନ ୟୁନିୟନ(ବିକେୟୁ) ନେତା ରାକେଶ ଟିକାୟତ। ସେ ଟ୍ବିଟ କରି କହିଛନ୍ତି ଯେ, ଦେଶରେ କୌଣସି ରାଜତନ୍ତ୍ର ନାହିଁ। କେବଳ ଟିଭିରେ ଘୋଷଣା କରିଦେଲେ ଚାଷୀ ଘରକୁ ଫେରିବେ ନାହିଁ। ସରକାରଙ୍କୁ ଚାଷୀଙ୍କ ସହ କଥା ହେବାକୁ ପଡିବ। ତାଙ୍କର ଏଭଳି ଟ୍ବିଟ ପରେ ଏତେ ସହଜରେ ଚାଷୀମାନେ ଆନ୍ଦୋଳନ ବନ୍ଦ କରିବେ ନାହିଁ ବୋଲି ଜଣାପଡ଼ିଯାଇଛି। ଘୋଷଣା କରିଥିବା କଥାକୁ ସରକାର ପୂରଣ ନ କରିବା ଯାଏ ଚାଷୀମାନେ ଘରକୁ ଫେରିବେ ନାହିଁ ବୋଲି ଟିକାୟତଙ୍କ କଥାରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର